ପୁଟିନ୍ଙ୍କ ଗାଳି ଶୁଣିବା ପରେ ରୁଷୀୟ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ଶୋଇଗୁଙ୍କ ହୃଦ୍ଘାତ
ୟୁକ୍ରେନ୍କୁ ଦଖଲ କରିବାରେ ଏବେବି ସଫଳ ହୋଇପାରିନି ରୁଷ। ଏହାରି ଭିତରେ ରାଗି ଯାଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏପରିକି ପୁଟିନ୍ଙ୍କ ଠାରୁ ଗାଳି ଶୁଣିବା ପରେ ରୁଷୀୟ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ଶୋଇଗୁଙ୍କର ହୃଦ୍ଘାତ ହୋଇଥିବା କଥା ୟୁକ୍ରେନୀୟ ସରକାରଙ୍କର ଜଣେ ଉପଦେଷ୍ଟା କହିଛନ୍ତି।
ୟୁକ୍ରେନୀୟ ଗୃହମନ୍ତ୍ରାଳୟରେ କାର୍ଯ୍ୟରତ ଆଣ୍ଟୋନ୍ ଗେରାଶ୍ଚେଙ୍କୋ ଫେସ୍ବୁକ୍ରେ ଲେଖିଛନ୍ତି ଯେ, ପୁଟିନ୍ଙ୍କ ସହିତ ଯୁକ୍ତିତର୍କ ହେବା ଘରେ ହୃଦ୍ଘାତ ଯୋଗୁଁ ମାର୍ଚ୍ଚ ୧୧ ଠାରୁ ଶୋଇଗୁ ଆଉ ଲୋକଲୋଚନକୁ ଆସିନାହାନ୍ତି। ୟୁକ୍ରେନ୍ ଆକ୍ରମଣ ସମ୍ପୂର୍ଣ୍ଣ ବିଫଳ ହେବା ଯୋଗୁଁ ପୁଟିନ୍ ଯେଭଳି ତାଙ୍କୁ ଅପବାଦ ଦେଲେ ସେଥିରେ ଶୋଇଗୁଙ୍କ ହୃଦ୍ଘାତ ହୋଇଛି। କାରଣ ସେ କାର୍ଖିଭ୍ ଅଥବା କିବ୍ ଭଳି ପ୍ରମୁଖ ୟୁକ୍ରେନୀୟ ନଗରୀକୁ ଏଯାବତ୍ ଦଖଲ କରିପାରିଲେ ନାହିଁ।
ମାର୍ଚ୍ଚ ୨୪ ତାରିଖ ଦିନ ରୁଷ ରକ୍ଷା ମନ୍ତ୍ରୀଙ୍କୁ ଟେଲିଭିଜନରେ ଦେଖିବାକୁ ମିଳିଥିଲା। ତେବେ ତାଙ୍କର ଏହି ଭିଡିଓ ଫୁଟେଜ ପୁରୁଣା ଥିଲା ନା ସେହିଦିନର, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ମାର୍ଚ୍ଚ ୨୪ ତାରିଖରେ ପୁଟିନ୍ ଓ ଶୋଇଗୁଙ୍କ ମଧ୍ୟରେ ହୋଇଥିବା ଏହି ଭିଡିଓ କଲ୍ ଦୃଶ୍ୟଟି ଜାଲ୍ ବୋଲି ୟୁକ୍ରେନ କହିଛି। ଏହାଛଡ଼ା, ଶୁକ୍ରବାର ଦିନ ପାଶ୍ଚାତ୍ୟ ରାଷ୍ଟ୍ରର ସରକାରୀ ଅଧିକାରୀମାନେ ମଧ୍ୟ କହିଛନ୍ତି ଯେ, ୟୁକ୍ରେନ ଆକ୍ରମଣରେ ଏ ପର୍ଯ୍ୟନ୍ତ ୭ଜଣ ରୁଷ ଜେନେରାଲ୍ଙ୍କର ମୃତ୍ୟୁ ଘଟିଛି।
Powered by Froala Editor