ତିନି ମହାନଗର ନିଗମରେ ବିଜେଡ଼ି ମେୟର ପ୍ରାର୍ଥୀ ଆଗୁଆ

ଭୁବନେଶ୍ୱର : ଏବେ ସମସ୍ତଙ୍କ ନଜର ମେୟରଙ୍କ ଉପରେ । ପ୍ରଥମ ଥର ପାଇଁ ମେୟରମାନେ ସିଧାସଳଖ ନିର୍ବାଚିତ ହେବାକୁ ଯାଉଛନ୍ତି । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ କିଏ ହେବେ ମେୟର ତାହାର ଫଳାଫଳ ଧିରେଧିରେ ସ୍ପଷ୍ଟ ହେବାରେ ଲାଗିଛି ।
ଭୁବନେଶ୍ୱରରେ ବିଜେଡ଼ି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ଆଗରେ ରହିଛନ୍ତି । ବିଳମ୍ବରେ ଭୋଟ ଗଣତି ହୋଇଥିବାରୁ ଏବେ ମାତ୍ର ତିନି ରାଉଣ୍ଡ ଭୋଟ ଗଣତି ହୋଇଛି । ଇତିମଧ୍ୟରେ ସୁଲୋଚନା ବିଜେପି ପ୍ରତିଦ୍ୱନ୍ଦ୍ୱୀ ଡକ୍ଟର ସୁନୀତି ମୁଣ୍ଡଙ୍କ ଠାରୁ ପ୍ରାୟ ଦେଢ଼ ହଜାର ଭୋଟରେ ଆଗୁଆ ରହିଛନ୍ତି । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥିନୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ।
କଟକରେ ସୁବାସ ସିଂହ ଦ୍ୱିତୀୟ ରାଉଣ୍ଡରେ ପଛରେ ଥିଲେବି ପରବର୍ତୀ ସମୟରେ ସେ ଆଗୁଆ ରହିଛନ୍ତି । ତେବେ ତାଙ୍କୁ କଂଗ୍ରେସର ମେୟର ପ୍ରାର୍ଥିନୀ ଗିରିବାଳ ବେହେରା କଡ଼ା ଟକ୍କର ଦେଉଛନ୍ତି । ଅପରପକ୍ଷରେ ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ତୃତୀୟ ସ୍ଥାନରେ ରହିଛନ୍ତି ।
ବ୍ରହ୍ମପୁରରେ ମଧ୍ୟ ବିଜେଡ଼ି ଆଗରେ ରହିଛି । ବିଜେଡ଼ିର ମେୟର ପ୍ରାର୍ଥିନୀ ସଂଘମିତ୍ରା ଦଳାଇ ବିଜେପି ପ୍ରାର୍ଥିନୀ ଡକ୍ଟର ସବିତା ସୁଆରଙ୍କ ଠାରୁ ଆଗରେ ରହିଛନ୍ତି । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥିନୀ ମଞ୍ଜୁ ରଥ ବହୁ ପଛରେ ପଡ଼ି ଯାଇଛନ୍ତି ।
Powered by Froala Editor