ସ୍ତ୍ରୀ’କୁ ଜୀବନ୍ତ ଗାତରେ ପୋତିଦେଲା ନୃସଂଶ ସ୍ୱାମି
କାମାକ୍ଷାନଗର: ସ୍ୱାମି-ସ୍ତ୍ରୀ ସଂପର୍କରୁ ଭଗବାନ ଗଢିଥାନ୍ତି ବୋଲି କୁହାଯାଏ । କିନ୍ତୁ ବର୍ତ୍ତମାନ ଅନେକ ସଂପର୍କରେ ଫାଟ ଦେଖାଯାଉଛି । ପିଶାଚ ସ୍ୱାମୀର ଉନ୍ମତ୍ତ କାଣ୍ଡ। ଯୌତୁକ ପାଇଁ ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଗାତ ଖୋଳି ପୋତି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗାଁରେ । ବାପ ଘର ଲୋକେ ଝିଅ ସୁକାନ୍ତି ସାହୁଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ଘଟଣାପରେ ସ୍ୱାମୀ ରଞ୍ଜନ ସାହୁ,ଶାଶୂ ଓ ଶ୍ୱଶୁର ଫେରାର ଅଛନ୍ତି । ଅଭିଯୋଗ ଅନୁସାରେ, ଗତ ଦୁଇ ବର୍ଷ ତଳେ ରଞ୍ଜନ ସାହୁ ସୁକାନ୍ତିଙ୍କୁ ପ୍ରେମ ବିବାହ କରିଥିଲେ। ବିବାହପରେ ଉଭୟଙ୍କ ମଧ୍ୟରେ ଯୌତୁକ ଜନିତ ସମସ୍ୟାକୁ ନେଇ ବାରମ୍ବାର କଳହ ଲାଗି ରହିଥିଲା । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ସମାଧାନ ମଧ୍ୟ ହୋଇଥିଲା ।
ଗତକାଲି ରାତିରେ ଯୌତୁକ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ରଞ୍ଜନ ଉତ୍ତ୍ୟକ୍ତ ହୋଇ ସୁକାନ୍ତିଙ୍କୁ ମାରି ଲହୁଲୁହାଣ କରି ଦେଇଥିଲେ । ପରେ ଘରର ବାଡିପଟେ ଗାତ ଖୋଳି ପୋତି ଦେଇଥିଲେ । ସୁକାନ୍ତିଙ୍କ ପରିବାର ଲୋକେ ଖବର ପାଇ ଝିଅକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି କାମାକ୍ଷାନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସୁକାନ୍ତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୁକାନ୍ତିଙ୍କ ପରିବାର ଲୋକେ ଏନେଇ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି । ସୁକାନ୍ତିଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି ।
Powered by Froala Editor