ଢେଙ୍କାନାଳରେ ହାତୀ ଆତଙ୍କ : ଜଣେ ମୃତ, ବନ କର୍ମଚାରୀ ଆହତ

ଢେଙ୍କାନାଳରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ଗ୍ରାମର ସତ୍ୟାନନ୍ଦ ବେହେରା (୩୬) ନାମକ ଯୁବକ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ସତ୍ୟାନନ୍ଦ ଗତକାଲି ସନ୍ଧ୍ୟାରେ ନିକଟସ୍ଥ ଜଙ୍ଗଲକୁ ନିଜର ଗାଈ ଖୋଜିବାକୁ ଯାଇ୍ଥିଲେ। ସେ ଆଉ ଫେରି ନଥିବାରୁ ଆଜି ସକାଳୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ସତ୍ୟାନନ୍ଦଙ୍କ ମୃତଦେହ ବୀଭତ୍ସ ଭାବରେ ପଡିଥିବା ଦେଖିବାକୁ ମିଳିଥିଲା । ଏହା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ।
ସେହିପରି ଢେଙ୍କାନାଳ ସଦର ବନାଞ୍ଚଳରେ ଏକ ଆହତ ଦନ୍ତାକୁ ଜଗିଥିବା ଜଣେ ବନକର୍ମଚାରୀଙ୍କୁ ହାତୀଟି ଟେକି କଚାଡ଼ି ଦେଇଛି। ଫଳରେ ଗୁରୁତର ଅବସ୍ଥାରେ ଏହି ବନକର୍ମଚାରୀଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ବନ କର୍ମଚାରୀ ଜଣକ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ବିଶ୍ୱରଞ୍ଜନ ପାଣିଗ୍ରାହୀ ବୋଲି ଜଣାପଡିଛି ।
ଦନ୍ତା ହାତୀଟିର ଡାହାଣ ଗୋଡ଼ରେ ଗଭୀର କ୍ଷତ ଯୋଗୁଁ ଆହତ ଅବସ୍ଥାରେ ସଦର ବନାଞ୍ଚଳର ଗହମଖୁଣ୍ଟି ଗାଁ ପାଖରେ ଟିକିଲି ପୋଖରୀ ପାଖରେ ଠିଆ ହୋଇ ରହିଥିଲା। ଶିକାରୀଙ୍କ ଗୁଳିମାଡ଼ରେ ଏହି ଦନ୍ତା ଆହତ ହୋଇଥିବା ଅନୁମାନ କରାଯାଇଥିଲା। ଏ ସମ୍ପର୍କରେ ଖବର ପ୍ରସାରଣ ପରେ ବନବିଭାଗର କର୍ମଚାରିମାନଙ୍କୁ ହାତୀକୁ ଜଗିବାକୁ ପଠାଇଥିଲା ।
Powered by Froala Editor