ମହଙ୍ଗା ହେଲା ମେଡିକାଲ ପାଠପଢା

ଭୁବନେଶ୍ୱର: ମହଙ୍ଗା ହେଲା ମେଡିକାଲ ପାଠପଢା । ଏଣିକି ଓଡ଼ିଶାରେ ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବ ଅଧିକ ଫି । ସୁପର ସ୍ପେସିଆଲିଟି ପାଠପଢା ପାଇଁ ୪୯ ପ୍ରତିଶତ ଫି ବୃଦ୍ଧି କରାଯାଇଛି । ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ ଲାଗି ମଧ୍ୟ ୨୯ ଦଶମିକ୍ ୮୦ ପ୍ରତିଶତ ଫି ବଢାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
କରୋନା ମହାମାରୀ ଯୋଗୁ ଲୋକେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ସରକାରଙ୍କ ଏ ନିଷ୍ପତ୍ତି ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଆଶାକରାଯାଉଛି । ଓଡ଼ିଶାରେ ଡାକ୍ତରୀ ପାଠ ପଢା ଫି ଅଧିକ ରହିଥିବାରୁ ଛାତ୍ରଛାତ୍ରୀ ବିଦେଶ ଯାଇ ପାଠ ପଢୁଛନ୍ତି । ଏପରି ସ୍ଥଳେ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ପରିବାର ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ସରକାରୀ କଲେଜର ଫି ବୃଦ୍ଧି ନିଷ୍ପତ୍ତି ପରେ ଘରୋଇ କଲେଜ ମଧ୍ୟ ଫି ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି ହୋଇଛି ।
ସୁପର ସ୍ପେସିଆଲିଟି ପାଠ୍ୟକ୍ରମର ନାମଲେଖା ସମେତ ଅନ୍ୟ ସମସ୍ତ ଫି’କୁ ବଢ଼ାଇ ଦିଆଯାଇଛି। ମେଡିକାଲ କଲେଜର ଉଭୟ ସରକାରୀ ଓ ବେସରକାରୀ ଫି’ ବୃଦ୍ଧି ଘଟିଛି। ସୁପର ସ୍ପେସିଆଲିଟି ଛାତ୍ରଛାତ୍ରୀଙ୍କ ୱାନ୍ ଟାଇମ୍ ନାମଲେଖା ଫି’ ଦୁଇଗୁଣ ବଢ଼ିଛି। ଅର୍ଥାତ୍ ପୂର୍ବରୁ ୨୫୦୦ ଟଙ୍କା ଥିବା ବେଳେ ଏବେ ୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ବାର୍ଷିକ ଟ୍ୟୁସନ ଫି’ ୩୦ ହଜାରରୁ ୪୦ ହଜାରକୁ ବଢ଼ିଥିବା ବେଳେ ଲାଇବ୍ରେରି ଫି’ ୬୦୦ରୁ ୩ ହଜାର, ଜର୍ଣ୍ଣାଲ ଫି’ ୧ ହଜାରରୁ ୩୫୦୦କୁ ବଢ଼ାଇ ଦିଆଯାଇଛି। ସରକାରୀ ଫି’ ବାବଦରେ ଛାତ୍ରଛାତ୍ରୀଙ୍କୁ ପୂର୍ବରୁ ୩୪ ହଜାର ୧୦୦ ଟଙ୍କା ଦେବାକୁ ପଡ଼ୁଥିଲେ। ଏଣିକି ୫୧ ହଜାର ୫୦୦ ଟଙ୍କା ଦେବାକୁ ହେବ ।
ବେସରକାରୀ ଫି’ କଥା ଯଦି ଦେଖିବା ୱାନ୍ ଟାଇମ୍ ସିକ୍ୟୁରିଟି ଡିପୋଜିଟ୍ ୧୦ରୁ ୧୨ ହଜାର ଟଙ୍କାଙ୍କୁ ବଢ଼ିଛି। ଛାତ୍ର ସଂସଦ ଫି’ ୬୦୦ରୁ ୨ ହଜାର, ଏକାଡେମିକ ସୋସାଇଟି ଫି’ ୩୦୦ରୁ ୧୦୦୦, ଡ୍ରାମାଟିକ୍ ସୋସାଇଟି ଫି’ ୩୦୦ରୁ ୧୦୦୦, ଓଡ଼ିଶା ରେଡ୍କ୍ରସ ସୋସାଇଟି ଫି’ ୧୦୦ରୁ ୨୦୦ ଟଙ୍କା ହୋଇଛି। ପରିଚୟପତ୍ର ବାବାଦରେ ଫି’ ବୃଦ୍ଧି ହୋଇନି । ବେସରକାରୀ ଫି’ ୧୧ ହଜାର ୪୦୦ରୁ ୧୬ ହଜାର ୩୦୦କୁ ବୃଦ୍ଧି ପାଇଛି। ମୋଟ ଉପରେ ଦେଖିବାକୁ ଗଲେ ସୁପର ସ୍ପେସିଆଲିଟି ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଫି’ ୬୭ ହଜାର ୮୦୦ ଟଙ୍କା ହୋଇଛି ।
ଏମ୍ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ କଥା ଯଦି ଦେଖିବା ସରକାରୀ ଫି’ ବାବଦରେ ପୂର୍ବରୁ ୧୮ ହଜାର ୧୦୦ ଟଙ୍କା ଥିବା ବେଳେ ଏବେ ୨୪ ହଜାରକୁ ବଢ଼ିଛି। ୱାନ୍ ଟାଇମ୍ ନାମଲେଖା ଫି’ ୧୦୦୦ରୁ ୧୫୦୦ ଟଙ୍କା ହୋଇଛି । ବାର୍ଷିକ ଟ୍ୟୁସନ ଫି’ ୧୭ ହଜାରରୁ ୨୨ ହଜାରକୁ ବଢ଼ିଛି। ଉତ୍ତର ଖାତା ଫି’ ୫୦୦ ଟଙ୍କାକୁ ବୃଦ୍ଧି ହୋଇଛି । ବେସରକାରୀ ଫି’ ବାବଦରେ ୱାନ୍ ଟାଇମ୍ ସିକ୍ୟୁରିଟି ଡିପୋଜିଟ୍ରେ କୌଣସି ପରିବର୍ତନ ହୋଇ ନାହିଁ ।
ଛାତ୍ର ସଂସଦ ଫି’ ଏକ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏକାଡେମିକ ସୋସାଇଟି ଫି’ ୫୦୦, କ୍ରୀଡ଼ା ଫି’ ୫୦୦, ମାଗାଜିନ୍ ଫି’ ୪୦୦, ସାଂସ୍କୃତିକ ଫି’ ୪୦୦, ଅଡିଓ ଭିଜୁଆଲ ସୋସାଇଟି ଫି’ ୪୦୦, ଡ୍ରାମାଟିକ୍ ସୋସାଇଟି ଫି’ ୪୦୦, ଓଡ଼ିଶା ରେଡକ୍ରସ ସୋସାଇଟି ଫି’ ୨୦୦, ଷ୍ଟୁଡେଣ୍ଟ ଏଡ୍ ଫଣ୍ଡ ଫି’ ୫୦ ଟଙ୍କା କରାଯାଇଛି । ପରିଚୟପତ୍ର ବାବାଦରେ ଫି’ ବୃଦ୍ଧି ହୋଇ ନାହିଁ। ଏମ୍ବିବିଏସ୍/ବିଡିଏସ୍ ଛାତ୍ରଛାତ୍ରୀଙ୍କୁ ପୂର୍ବରୁ ୨୯ ହଜାର ୬୯୪ ଟଙ୍କା ଦେଉଥିଲେ। ଏଣିକି ଏବାବଦରେ ୩୭ ହଜାର ୯୫୦ ଟଙ୍କା ଦେବାକୁ ହେବ । ସେହିପରି ହଷ୍ଟେଲ ଫି’ ୧୦ ହଜାରରୁ ୧୪ ହଜାର ଟଙ୍କା ବୃଦ୍ଧି କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor