ମେ’ ୩୧ ଯାଏ ବିଦେଶକୁ ବିମାନ ଉଡ଼ାଣ ବନ୍ଦ
ମହମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବାରେ ଲାଗିଥିବା କଟକଣାକୁ କେନ୍ଦ୍ର ସରକାର ଆଉ ମାସେ ବୃଦ୍ଧି କରିଛନ୍ତି। ସଂକ୍ରମଣ ବ୍ୟାପୁଥିବାରୁ ମେ’ ୩୧ ଯାଏ ବିଦେଶକୁ ବିମାନ ଉଡ଼ାଣ ବନ୍ଦ ରହିବ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ଗାଇଡଲାଇନରେ ଆଜି ରାତି ୧୨ଟା ଯାଏ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ ରଖାଯାଇଥିଲା। ଏବେ ଏହି କଟକଣା ଅବଧିକୁ ମେ’ ୩୧ ଯାଏ ବୃଦ୍ଧି କରାଯାଇଛି।
ଡିଜିସିଏ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶରେ ଦର୍ଶାଯାଇଛି ଯେ, ଯଦି ଆବଶ୍ୟକ ହୁଏ ତେବେ କିଛି ଅନ୍ତର୍ଜାତୀୟ ମାର୍ଗରେ ବିମାନ ଚଳାଚଳ କରାଯାଇପାରିବ। ଏହାପୂର୍ବରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ନିଷେଧାଦେଶର ଅବଧି ୩୦ ଏପ୍ରିଲ ୨୦୨୧ କୁ ବୃଦ୍ଧି କରାଯାଇଥିଲା। ଗତ ବର୍ଷ ମାର୍ଚ୍ଚରୁ କରୋନା ମହାମାରୀ ଯୋଗୁଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରହିଥିଲା। ତେବେ, ମେ ୨୦୨୦ ରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଥିଲା ।
ସୂଚନା ଥାଉକି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୩.୮୬ ଲକ୍ଷରୁ ଅଧିକ ବ୍ୟକ୍ତି କରୋନା ପଜିଟିଭ୍ ହୋଇଛନ୍ତି। ଏଥି ସହିତ ସମଗ୍ର ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩୧ ଲକ୍ଷରୁ ଅଧିକ ହୋଇଛି। ଆଜିକୁ ମିଶାଇ କ୍ରମାଗତ ନବମ ଦିନ ଧରି ଦୈନିକ ତିନି ଲକ୍ଷରୁ ଅଧିକ କରୋନା ମାମଲା ରୁଜୁ ହୋଇଛି। ବର୍ତ୍ତମାନ ୯ ଦିନ ପରେ ଏହି ସଂଖ୍ୟା ଚାରି ଲକ୍ଷରେ ପହଞ୍ଚିବା ଆରମ୍ଭ କରିଛି ।
Powered by Froala Editor