ହଟିଲା କଟକଣା : ଏଣିକି ହେବନି ନାଇଟ୍ କର୍ଫ୍ୟୁ, ଖୋଲିବ ସବୁ ସ୍କୁଲ
ରାଜଧାନୀ ଦିଲ୍ଲୀରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଦିଲ୍ଲୀ ସରକାର ନାଇଟ କର୍ଫ୍ୟୁ ସହ ସବୁ କଟକଣାକୁ ହଟାଇ ଦେଇଛନ୍ତି। ସେହିପରି ମାସ୍କ ଫାଇନ ଟଙ୍କାକୁ ମଧ୍ୟ ୫୦୦ ଟଙ୍କାକୁ ହ୍ରାସ କରାଯାଇଛି। ପୂର୍ବରୁ ମାସ୍କ ପିନ୍ଧିଲେ ଲୋକଙ୍କ ନାଁରେ ୧ ହଜାର ଟଙ୍କାର ଚାଲାଣ କଟାଯାଉଥିଲା। ସେହିପରି ଆସନ୍ତା ଏପ୍ରିଲ ୧ରୁ ସମସ୍ତ ସ୍କୁଲରେ ଅଫଲାଇନ କ୍ଲାସ ଆରମ୍ଭ ହେବ ବୋଲି ଦିଲ୍ଲୀ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (ଡିଡିଏମ) ବୈଠକରେ ନିଷ୍ପତ୍ତି ହୋଇଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି, ‘ସ୍ଥିତିରେ ଉନ୍ନତି ହେତୁ ସମସ୍ତ ପ୍ରତିବନ୍ଧକ ପ୍ରତ୍ୟାହାର କରାଯାଇଛି । ସେ କହିଛନ୍ତି ଯେ ଏପ୍ରିଲ ୨ ତାରିଖରୁ ବିଦ୍ୟାଳୟଗୁଡ଼ିକ ସମ୍ପୂର୍ଣ୍ଣ ଖୋଲିବ ଓ ଅଫଲାଇନରେ ଶିକ୍ଷାଦାନ ହେବ।
ଏଣିକି ଲୋକମାନେ ବସ୍ ଓ ମେଟ୍ରୋରେ ଛିଡ଼ା ହୋଇ ମଧ୍ୟ ଯାଇପାରିବେ। ପୂର୍ବରୁ ମେଟ୍ରୋ ଓ ବସରେ କେବଳ ସିଟ୍ ଯେତିକି ସେତିକି ଲୋକଙ୍କୁ ଯାତ୍ରା କରିବାର ଅନୁମତି ମିଳୁଥିଲା।
ଦିଲ୍ଲୀରେ ରେଷ୍ଟୁରାଣ୍ଟଗୁଡ଼ିକ ଖୋଲିବା ଓ ବନ୍ଦ କରିବା ସମୟ ଉପରେ ଲାଗିଥିବା କଟକଣା ହଟିଛି। ମୁଖ୍ୟମନ୍ତ୍ରୀ ଅରବନ୍ଦ କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, “କରୋନା ସଂକ୍ରମଣ ନିୟମିତ ଭାବେ ହ୍ରାସ ପାଉଥିବାରୁ ଡିଡିଏମ ସମସ୍ତ ପ୍ରକାରର କଟକଣାକୁ ହଟାଇ ଦେଇଛି। କଟକଣା ଯୋଗୁ ଲୋକମାନେ ଚାକିରି ହରାଇବା ଜନିତ ସମସ୍ୟାରେ ପଡ଼ିଥିଲେ। ଏବେ କିନ୍ତୁ ଆଉ କୌଣସି କଟକଣା ରହିବ ନାହିଁ।”
ଦିଲ୍ଲୀ ସରକାର ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୫୫୬ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ସଂକ୍ରମଣ ହାର ୧.୧୦ ପ୍ରତିଶତ ରେକର୍ଡ କରାଯାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ ରୋଗୀ ପ୍ରାଣ ହରାଇଛନ୍ତି।
Powered by Froala Editor