ପ୍ରଥମ ଥର ରାତି ୨ଟାରେ ବସିବ ପଶ୍ଚିମବଙ୍ଗ ବିଧାନସଭା
ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ ମାର୍ଚ୍ଚ ୭ରେ ବିଳମ୍ବିତ ରାତି ୨ଟାରେ ବିଧାନସଭା ଅଧିବେଶନ ଡକାଇଛନ୍ତି। ଏନେଇ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଦସ୍ତଖତ କରିଥିବା ଜଣାପଡ଼ିଛି। କ୍ୟାବିନେଟ୍ର ସୁପାରିଶ ଅନୁସାରେ ସେ କାର୍ଯ୍ୟ କରୁଥିବା କହିଛନ୍ତି। ରାଜ୍ୟପାଳ କହିଛନ୍ତି, ମଧ୍ୟ ରାତ୍ର ୨ଟାରେ ବିଧାନସଭାର ବୈଠକ ଅସ୍ଵାଭାବିକ ଘଟଣା ଏବଂ ଇତିହାସରେ ପ୍ରଥମ ଥର ଘଟିବ। ମାତ୍ର ଏହା କ୍ୟାବିନେଟ୍ ନିର୍ଣ୍ଣୟ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ମଧ୍ୟରାତ୍ରି ପରେ ବିଧାନସଭା ଅଧିବେଶନ ବସିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତିକୁ ଗତ ଫେବୃଆରୀ ୧୭ରେ ରାଜ୍ୟପାଳ ନିକଟକୁ ପାରିତ ପାଇଁ ପଠାଯାଇଥିଲା। ମାର୍ଚ୍ଚ ୭ରେ ରାତି ୨ଟା ଅର୍ଥାତ ୨ଏମରେ ବିଧାନସଭା ପାଇଁ ଏହି ବିଜ୍ଞପ୍ତିକୁ ସୁପାରିଶ ଲାଗି ନିବେଦନ କରାଯାଇଥିଲା। ଯେହେତୁ ଏହା କ୍ୟାବିନେଟ୍ ରେ ପାରିତ ହୋଇଛି ଏବଂ ସାମ୍ବିଧାନିକ (ଧାରା ୧୭୪(୧))ବିଧିବ୍ୟବସ୍ଥା ଜଟିଳତା ରହିଛି ତେଣୁ ଏହାକୁ ସମ୍ମାନ ଜଣାଇ ରାଜ୍ୟପାଳ ଦସ୍ତଖତ କରିଛନ୍ତି।
ଧନଖଡ ଲେଖିଛନ୍ତି, ମଧ୍ୟରାତ୍ର ପରେ ଅଧିବେଶନର ସମୟ ନିର୍ଦ୍ଧାରଣ ଅଜବ ଥିଲା। ତେବେ ଏହା ଏକ ଟାଇପିଂ ଜନିତ ତ୍ରୁଟି ହୋଇଥିବା ରାଜ୍ୟ ସରକାର ସ୍ୱୀକାର କରିଥିଲେ । ଏହା ୨ ଏମ ନୁହେଁ ୨ ପିଏମ ବୋଲି କୁହାଯାଇଥିଲା। ଟାଇମିଂକୁ ନେଇ ରାଜ୍ୟପାଳ ଏ ସମ୍ପର୍କରେ ବେଙ୍ଗଲ ମୁଖ୍ୟ ଶାସନ ସଚିବଙ୍କୁ ଅଲୋଚନା ପାଇଁ ଡାକିଥିଲେ। କିନ୍ତୁ ସେ ଏହାର ଉଚିତ୍ ଉତ୍ତର ରଖିପାରି ନଥିଲେ। ଯେହେତୁ କ୍ୟାବିନେଟ୍ ନିଷ୍ପତ୍ତି ଏକ ସାମ୍ବିଧାନିକ ଅଧିକାର ତେଣୁ ସେ ବିଜ୍ଞପ୍ତି ଉପରେ ଆପତ୍ତି ନ ଉଠାଇ ଦସ୍ତଖତ କରିଥିଲେ।
ରାତି ୨ଟାରେ ବିଧାନସଭା ଡକାଇବା ବିଷୟରେ ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ବିମାନ ବାନାର୍ଜୀ କହିଛନ୍ତି, ଏହା କୌଣସି ଟାଇପୋଗ୍ରାଫିକଲ ଭୁଲ୍ ହୋଇଥାଇପାରେ। ଏହାକୁ ସଂଶୋଧନ କରାଯାଇ ପାରିଥାନ୍ତା। ଯେହେତୁ ସେ ଏହାକୁ ସଂଶୋଧନ କରି ନାହାନ୍ତି ତେବେ ମଧ୍ୟରାତ୍ରି ପରେ ଅଧିବେଶନ ବସିବ। ରାଜ୍ୟପାଳଙ୍କ ପାଖକୁ ପରେ ଏକ ନୋଟ୍ ପଠାଯାଇ ୨ଏମ ଉଲ୍ଲେଖ କରାଯାଇଥିଲା । ଦ୍ୱିତୀୟଥର ନୋଟ୍ରେ ଟାଇମିଂ ଭୁଲ ହୋଇଥିବା ଉଲ୍ଲେଖ କରାଯାଇଥିଲା। ତେବେ ଯଦି ରାତିରେ ବିଧାନସଭା ବସେ ଏହା ଦେଶର ପ୍ରଥମଥର ବୋଲି କୁହାଯିବ।
Powered by Froala Editor