ୟୁକ୍ରେନ ଏୟାରବେସ ଧ୍ୱଂସ: ଋଷିଆ

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ପୁଟିନ । ୟୁକ୍ରେନ ସେନ୍ୟବାହିନୀକୁ ଆତ୍ମସମର୍ପଣ କରିବାକୁ ପୁଟିନ ଆହ୍ୱାନ ଦେଇଛନ୍ତି । କେବଳ ସେତିକି ନୁହେଁ ୟୁକ୍ରେନର କିଭ ଓ ଖାରକିଭରେ ଋଷିଆ ପକ୍ଷରୁ ମିଜାଇଲ ଆକ୍ରମଣ କରାଯାଇଛି । ୟୁକ୍ରେନର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ ଆକ୍ରମଣ କରାଯାଇଛି । ତେବେ ସବୁଠୁ ବଡ଼ କଥା ହେଲା ଯେ ୟୁକ୍ରେନର ସବୁ ଏୟାର ବେସକୁ ଋଷିଆ ଆକ୍ରମଣରେ ସଫା କରିଦେଇଛି । ୟୁକ୍ରେନର ସବୁ ଏୟାର ବେସକୁ ଧ୍ୱଂସ କରିଦିଆଯାଇଥିବା ଋଷ ଦାବି କରିଛି । ଏୟାର ବେସ ଓ ଏୟାର ସିଷ୍ଟମ ଧ୍ୱଂସ କରିଥିବା ଋଷିଆ ଦାବି କରିଛି ।
ଅନ୍ୟପଟେ ୟୁକ୍ରେନ ପଛଘୁଞ୍ଚା ଦେଇନାହିଁ । ୟୁକ୍ରେନ ବି ଋଷିଆକୁ ମୁହଁତୋଡ଼ ଜବାବ ଦେଉଥିବା ଖବର ସାମନାକୁ ଆସୁଛି । ଋଷିଆର ୫ଟି ଲଢୁବା ବିମାନ ଖସାଇଥିବା ୟୁକ୍ରେନ ଦାବି କରିଛି । ଲୁହାଂସ୍କ ପ୍ରଦେଶରେ ଋଷୀୟ ବିମାନ ଖସାଇଥିବା ୟୁକ୍ରେନ ଦାବି କରିଛି ।
ଏହା ପୂର୍ବରୁ ଯୁଦ୍ଧରେ ବିଜୟୀ ହେବା ନେଇ ୟୁକ୍ରେନ ଦମ୍ଭୋକ୍ତି ପ୍ରକାଶ କରିଥିଲା । ଋଷିଆର ଯୁଦ୍ଧ ଘୋଷଣା ପରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଥିଲେ ଯେ ୟୁକ୍ରେନ ଆତ୍ମରକ୍ଷା କରିବା ସହ ଯୁଦ୍ଧରେ ବିଜୟୀ ହେବ । ପୁଟିନ ୟୁକ୍ରେନ ଉପରେ ପୂର୍ଣ୍ଣ ଆକ୍ରମଣର ଆହ୍ୱାନ ଦେଇଛନ୍ତି । ଯୁଦ୍ଧ ଘୋଷଣା ଋଷିଆର ବିସ୍ତାରବାଦୀ ଆଭିମୁଖ୍ୟ । ବିଶ୍ୱବାସୀ ପୁଟିନଙ୍କୁ ଯୁଦ୍ଧରୁ ନିବୃତ୍ତ କରାନ୍ତୁ ବୋଲି ୟୁକ୍ରେନ ବୈଦେଶିକ ମନ୍ତ୍ରୀ କହିଥିଲେ । ବର୍ତ୍ତମାନ ଋଷିଆ ବିରୋଧରେ କାର୍ଯ୍ୟାନୁଷ୍ଠାନର ସମୟ ବୋଲି ସେ କହିଥିଲେ ।
ପ୍ରକାଶ ଯେ, ଆଜି ୟୁକ୍ରେନ ବିରୋଧରେ ଋଷିଆ ଯୁଦ୍ଧ ଘୋଷଣା କରିଛି । ସେନା ଅପରେସନ ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧ ସ୍ଥିତି ଟଳିବ ନାହିଁ ବୋଲି ସେ ସ୍ପଷ୍ଟ କରିବା ସହ ୟୁକ୍ରେନ ସେନାକୁ ଆତ୍ମସମର୍ପଣ ପାଇଁ ପୁଟିନ କହିଛନ୍ତି । ଏଥିସହ ପୁଟିନ ୟୁକ୍ରେନ ବିରୋଧରେ ସେନା ଅପରେସନ ପାଇଁ ଘୋଷଣା କରି ଏକ ବଡ ଧମକ ଦେଇଛନ୍ତି । ଯଦି କୌଣସି ବାହ୍ୟଶକ୍ତି ଏଥିରେ ହସ୍ତକ୍ଷେପ କରିବେ ତେବେ ପରିଣାମ ଭୟଙ୍କର ହେବ । ଯାହା ପୂର୍ବରୁ ଇତିହାସରେ କେବେ କେହି ଦେଖିନଥିବେ । ସମସ୍ତ ଜରୁରୀ ନିର୍ଣ୍ଣୟ ନିଆସରିଛି ବୋଲି ପୁଟିନ କହିଛନ୍ତି ।
ସେପଟେ ଋଷିଆର ଆଭିମୁଖ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ କହିଛନ୍ତି, ମୁଁ ସନ୍ଧ୍ୟାରେ ହ୍ବାଇଟ ହାଉସରୁ ସ୍ଥିତି ଉପରେ ନଜର ରଖିବି ଏବଂ ଜାତୀୟ ସୁରକ୍ଷା ଦଳ ପକ୍ଷରୁ ନିୟମିତ ଅପଡେଟରେ ରହିବି । ଆସନ୍ତାକାଲି ସକାଳେ ମୁଁ ଜି-୭ ପ୍ରତିପକ୍ଷଙ୍କ ସହ ବୈଠକ କରିବି ଏବଂ ଆମେ ନାଟୋ ସହଯୋଗୀଙ୍କ ସହିତ ସମନ୍ବୟ ରକ୍ଷା କରିବୁ । ଆକ୍ରମଣରେ ହେବାକୁ ଥିବା କ୍ଷୟକ୍ଷତି ଏବଂ ମୃତ୍ୟୁ ପାଇଁ ଋଷିଆ ଏକା ହିଁ ଦାୟୀ ରହିବ ବୋଲି ବାଇଡେନ କହିଛନ୍ତି ।ୟୁକ୍ରେନ-ଋଷିଆ ବିବାଦ ନେଇ ଭାରତ ମଧ୍ୟ ଚିନ୍ତା ପ୍ରକଟ କରିଛି । ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ତୁରନ୍ତ ପଦକ୍ଷେପ ନିଆନଗଲେ ନାଗରିକଙ୍କ ସୁରକ୍ଷା ବିପନ୍ନ ହୋଇପାରେ ବୋଲି ୟୁଏନଏସସିରେ ଭାରତୀୟ ପ୍ରତିନିଧି ଟି.ଏସ ତିରୁମୂର୍ତ୍ତି କହିଛନ୍ତି ।
Powered by Froala Editor