ବିମାନ ଉଡ଼ାଣ ବନ୍ଦ କଲା ୟୁକ୍ରେନ

ମସ୍କୋ : ୟୁକ୍ରେନ ବେସାମରିକ ବିମାନ ଉଡ଼ାଣ ବନ୍ଦ କରିଦେଇଛି । ଫଳରେ ହଜାର ହଜାର ବିଦେଶୀ ନାଗରିକ ବିମାନ ବନ୍ଦର ନିକଟରେ ଫସି ରହିଥିବା ଜାଣିବାକୁ ମିଳିଛି । ଅନେକ ଭାରତୀୟ ମଧ୍ୟ ୟୁକ୍ରେନରେ ରହିଛନ୍ତି । ଯୁଦ୍ଧ ପାଇଁ ସବୁ ଦେଶ ନିଜ ନିଜର ନାଗରିକଙ୍କୁ ୟୁକ୍ରେନରୁ ଆଣୁଥିବାବେଳେ ୟୁକ୍ରେନର ଏହି ନିଷ୍ପତି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।
ୟୁକ୍ରେନ ଓ ଋଷ ଯୁଦ୍ଧ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବାବେଳେ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ଆରମ୍ଭ ହୋଇଛି । ୟୁକ୍ରେନର ଅନୁରୋଧ ପରେ ଏହି ବୈଠକ ଆହୂତ ହୋଇଛି । ଯୁଦ୍ଧ ପରିସ୍ଥିତିକୁ ଟାଳିବା ପାଇଁ କି ପଦକ୍ଷେପ ଗ୍ରହଣ କରାଯିବ ସେନେଇ ବୈଠକରେ ନୀତି ନିର୍ଦ୍ଧାରଣ କରାଯିବ ।
ୟୁକ୍ରେନ ଓ ଋଷ ବିବାଦ କ୍ରମଶଃ ଘନୀଭୂତ ହେବା ସହ ଯୁଦ୍ଧ ମୁହାଁ ହୋଇସାରିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ପାଇଁ ବିଗୁଲ ଫୁଙ୍କିଛନ୍ତି । ୟୁକ୍ରେନ ସେନାକୁ ଆତ୍ମସମର୍ପଣ ପାଇଁ ପୁଟିନ ଧମକ ଦେବା ସହ ୟୁକ୍ରେନର ଚାରିଦିଗରେ ଋଷ ସେନା ଛାଇ ହୋଇଯାଇଛନ୍ତି । ଯାହାକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି । ଏମିତିକି ବିଶ୍ୱର ଅନ୍ୟ ଦେଶମାନଙ୍କୁ ବି ପୁଟିନ ଧମକ ଦେଇଛନ୍ତି । ଏହି ମାମଲାରେ ଯେଉଁ ବିଦେଶୀ ରାଷ୍ଟ୍ର ମୁଣ୍ଡ ଖେଳାଇବ ତାର ପରିଣତି ଭୟଙ୍କର ହେବବୋଲି ପୁଟିନ କହିଛନ୍ତି ।
ଋଷ ଯୁଦ୍ଧ ଘୋଷଣା କରିବା ସହ ବୋମାମାଡ଼ କରିଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଋଷ ସେନା ପକ୍ଷରୁ ୟୁକ୍ରେନର ରାଜଧାନୀ କ୍ୱିଭ ଓ ବନ୍ଦର ନଗରୀ ମାରିଉପୁଲରେ ବୋମାମାଡ଼ ହୋଇଥିବା ନେଇ ଏଏଫପି ପକ୍ଷରୁ ଦାବି କରାଯାଇଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ମାତ୍ରେ ଏଭଳି ଆକ୍ରମଣ ହୋଇଛି ।
Powered by Froala Editor