ତାଲିକାରେ ନାଁ ନଥିବାରୁ ଭୋଟ ବାକ୍ସ ଟେକିନେଲେ ଡଙ୍ଗରିଆ କନ୍ଧ

ଭୋଟର ତାଲିକାରେ ନାଁ ନ ଥିବାରୁ ବୁଥରେ ଭଙ୍ଗାରୁଜା ସହ ଭୋଟବାକ୍ସ ଉଠାଇ ନେଇଛନ୍ତି ଡଙ୍ଗରିଆ କନ୍ଧ । ରାୟଗଡା ସୁନାଖଣ୍ଡି ପଂଚାୟତର ଉପର ମୁସୁଡି ଓ ତଳ ମୁସୁଡି ଗାଁର ଡଙ୍ଗରିଆ ଭୋଟରମାନେ ଏଭଳି କରିଥିବା ଅଭିଯୋଗ ହୋଇଛି ।
ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ରାଇଲିମାରେ ୧୪ ନମ୍ବର ବୁଥ ବା ୱାର୍ଡରେ ରାଇଲିମା, ତଳ ମୁସୁଡି, ଉପର ମୁସୁଡି ଗାଁର ଡଙ୍ଗରିଆ କନ୍ଧ ଭୋଟ ଦେବାକୁ ଆସିଥିଲେ। ସେଠାରେ ରାଇଲିମା ଗାଁର ପ୍ରାୟ ୭୯ଜଣ ଡଙ୍ଗରିଆ ମହିଳା,ପୁରୁଷ ମତଦାନ ଦେଇଥିବା ବେଳେ ଦୁଇ ଗାଁର ବହୁ ଲୋକଙ୍କ ଭୋଟର ତାଲିକାରେ ନାମ ନଥିବା ଯୋଗୁଁ ଡଙ୍ଗରିଆମାନେ ରାଗିଯାଇ ବୁଥରେ ଭଙ୍ଗାରୁଜା କରି ଭୋଟ ବାକ୍ସ , ପ୍ରିଜାଇଡିଂ ଅଧିକାରୀଙ୍କ କାଗଜପତ୍ର ସହ ଭୋଟ ବାକ୍ସ ନେଇ ଯାଉଥିଲେ। ଏହି ଖବର ପୁଲିସ ଜାଣିପାରି ଭୋଟ ବାକ୍ସ ନେଇ ଯାଉଥିବା ଡଙ୍ଗରିଆଙ୍କୁ ଗୋଡ଼ାଇଥିଲେ। ‘ଆମେ ଭୋଟ ଦେବାର ହକ ନାହିଁ ତ ଆମେ ଭୋଟ ବାକ୍ସ ଫେରାଇବାର ନାହିଁ’। ଏହିପରି କହି ପ୍ରାୟ ୧ କିମି ବାକ୍ସ ନେଇ ଯାଇଥିଲେ।
ଅଧାବାଟରେ ରାୟଗଡା ଏସଡିପିଓ ଦିବ୍ୟଜ୍ୟୋତି ଦାସ, ତହସିଲଦାର ଦେବାଶିଷ କର, କଲ୍ୟାଣସିଂହପୁର ଥାନା ଅଧିକାରୀ ସୁକୁମା ହାଁସଦା ପଂହଚି ଗ୍ରାମବାସୀଙ୍କୁ ଅଟକାଇ ବୁଝାସୁଝା କରୁଛନ୍ତି । ତେବେ ପ୍ରଶାସନର ଭୁଲ୍ ଯୋଗୁଁ ଆମେ ଭୋଟଦାନରୁ ବଂଚିତ ହେଇଛୁ । ତେଣୁ ଭୋଟ୍ ଦେବାର ବ୍ୟବସ୍ଥା କରାଯିବା ପରେ ହିଁ ଭୋଟବାକ୍ସକୁ ଫେରାଇବୁ ବୋଲି କହିଛନ୍ତି ଗ୍ରାମବାସୀ ।
ପୁଣି ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ଭୋଟ ଗଣତି ପୂର୍ବରୁ ପୁଣିଥରେ ବୁଥରେ ମତଦାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ଭୋଟ ବାକ୍ସ ଓ ପ୍ରିଜାଇଡିଂ ଅଧିକାରୀଙ୍କ ସରଞ୍ଜାମ ବାକ୍ସ ଫେରାଇଥିବା ଜଣାଯାଇଛି ।
Powered by Froala Editor