ଓଲଟିଲା ସୁରକ୍ଷାକର୍ମୀଙ୍କ ବସ୍, ଚାଲିଗଲା ୩ଜୀବନ

ନବରଙ୍ଗପୁର: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଗୃହରକ୍ଷୀମାନେ ନବରଙ୍ଗପୁରରୁ କୋଷାଗୁମୁଡାକୁ ବସ୍ରେ ଯାଉଥିଲେ । ଏହି ସୁରକ୍ଷାକର୍ମୀଙ୍କ ବସ୍ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣାରେ ତିନି ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ୬ ଜଣ ଗୁରୁତରଙ୍କୁ ନବରଙ୍ଗପୁର ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଥିବାରୁ ନିର୍ବାଚନ ଡୁ୍ୟଟି ପାଇଁ ନବରଙ୍ଗପୁର ପୁଲିସ ରିଜର୍ଭ କାର୍ଯ୍ୟାଳୟରୁ ୩୬ ଜଣ ଗ୍ରାମରକ୍ଷୀଙ୍କୁ ନେଇ ଏକ ବସ୍ ଓଡି-୦୫କେ-୦୧୦୫ କୋଷାଗୁମୁଡ଼ା ବ୍ଲକ୍ ଅଭିମୁଖେ ବାହାରିଥିଲା । ବସ୍ଟି ପାପଡ଼ାହାଣ୍ଡି ଦେଇ କୋଷାଗୁମୁଡ଼ା ଅଭିମୁଖେ ଯାଉଥିବା ସମୟରେ ପାପଡ଼ାହାଣ୍ଡି ବ୍ଲକର ସୋରିଷପଦର ନିକଟରେ ଥିବା ଏକ ବୁଲାଣିରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା ।
ଫଳରେ ବସ୍ ତଳେ ୩ ଜଣ ଗ୍ରାମରକ୍ଷୀ ଚାପି ହୋଇଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତୁ୍ୟ ହୋଇଯାଇଥିଲା । ଖବର ପାଇ ସ୍ଥାନୀୟ ବାସିନ୍ଦା, ପାପଡ଼ାହାଣ୍ଡି ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ପାପଡ଼ାହାଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
Powered by Froala Editor