ଭୋଟ ପାଇଁ ବାଣ୍ଟୁଛନ୍ତି ନକଲି ଭତ୍ତା ବହି

ଦଶରଥପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗମ୍ ହୋଇଛି ରାଜନୈତିକ ମଇଦାନ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତା, ପ୍ରାର୍ଥୀ ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ଆଜି ମତଦାନ ହେଉଛି । ଏଥିପାଇଁ ବ୍ଳକର ଥାଲକୁଡି ପଞ୍ଚାୟତରେ କେତେଜଣ ପ୍ରାର୍ଥୀ ଭୋଟ ହାତେଇବାକୁ ନକଲି ଭତ୍ତା ବହି ସହ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ହିତାଧିକାରୀଙ୍କୁ ଦିଆଯାଇଥିବା ବହିରେ ସରକାରୀ ଷ୍ଟାମ୍ପ କିମ୍ବା ବ୍ଲକ ଉନ୍ନୟନ ଅଧିକାରୀଙ୍କ ଦସ୍ତଖସ୍ତ ନଥିବା ଦେଖି ଗ୍ରହଣ କରିଥିବା ହିତାଧିକାରୀଙ୍କ ମନରେ ସନେ୍ଦହ ହୋଇଥିଲା ।
ଏନେଇ ବହୁ ହିତାଧିକାରୀ ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭତ୍ତାବହି ସମ୍ପର୍କରେ ପଚାରିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଧିକାରୀମାନଙ୍କୁ କୌଣସି ଭତ୍ତା ବହି ପ୍ରଦାନ କରାଯାଇ ନ ଥିବା ସୂଚନା ଦେଇଥିଲେ । ଭୋଟ ପାଇବା ଲାଗି ଭୋଟରଙ୍କୁ ଏଭଳି ମିଥ୍ୟା ପ୍ରରୋଚନା କରାଯାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଏହାବାଦ୍ ଉକ୍ତ ବହି ସହ ହିତାଧିକାରଙ୍କ ପରିବାର ପ୍ରତି ସଦସ୍ୟଙ୍କୁ ଭୋଟ ପାଇଁ ୫୦୦ଟଙ୍କା ଲେଖାଏ ପ୍ରଦାନ କରାଯାଇଥିବା ଜଣାପଡିଛି । ଶତାଧିକ ମିଥ୍ୟା ଭତ୍ତାବହି ପାଇଥିବା ହିତାଧିକାରୀଙ୍କ ମଧ୍ୟରେ ଗୋବିନ୍ଦ ଚନ୍ଦ୍ର ପୋଥାଳ, ଶରତ କୁମାର ନାୟକ, ସନ୍ୟାସୀ ମଲ୍ଲିକ୍ ଏବଂ ଜଗନ୍ନାଥ ନନ୍ଦି ପ୍ରମୁଖ ପଂଚାୟତ କାର୍ଯ୍ୟନିର୍ବାହୀ ଶରତ ମଲ୍ଲିକଙ୍କ ନିକଟରେ ଅଭିଯୋଗ କରିଛନ୍ତି । କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ଅଭିଯୋଗ ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଇଥିଲେ । ଏହାପରେ ବିଡିଓ ଶ୍ୱେତା ସ୍ନିଗ୍ଧା ଘଟଣାର ତଦନ୍ତ କରି ହିତାଧିକାରୀଙ୍କଠାରୁ ନକଲି ଭତ୍ତା ବହି ଫେରାଇ ଆଣିଥିବା ସୂଚନା ମିଳିଛି ।
Powered by Froala Editor