କୋଟିଆରେ ପଡ଼ୁଛି ଭୋଟ

କୋରାପୁଟ: ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଗ୍ରହଣ । ରାଜ୍ୟର ୩୦ ଜିଲ୍ଲାର ୬୮ ବ୍ଲକର ୧୮୬ ଜିଲ୍ଲା ପରିଷଦ ଜୋନରେ ନିଜ ମତଦାନ କରୁଛନ୍ତି ଭୋଟର। ଏହା ମଧ୍ୟରେ ବହୁ ବିବାଦୀୟ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତ ମଧ୍ୟ ରହିଛି। କୋଟିଆରେ ସକାଳୁ ଭୋଟିଂ ଆରମ୍ଭ ହୋଇ ଯାଇଥିବା ବେଳେ ଏହା ଉପରେ ରହିଛି ସମସ୍ତଙ୍କ ନଜର।କୋଟିଆର ୫, ୭୯୦ ଭୋଟର ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀ ବାଛିବେ।
ଓଡ଼ିଶା- ଆନ୍ଧ୍ର ସୀମାରେ ରହି ସବୁବେଳେ ବିବାଦ ଘେରରେ ରହି ଆସିଥିବା କୋଟିଆରେ ପଞ୍ଚାୟତ ଭୋଟ ହେବାର ବହୁତ ଗୁରୁତ୍ୱ ରହିଛି । କାରଣ ଏହି ଅଞ୍ଚଳକୁ ଆନ୍ଧ୍ର ନିଜର ବୋଲି ଦାବି କରୁଛି। ଅନେକ ସମୟରେ ଆନ୍ଧ୍ରର ସରକାରୀ ବାବୁ ଆସି ଏଠାରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଲୋକଙ୍କୁ ସାମିଲ କରୁଛନ୍ତି । ଆନ୍ଧ୍ର ପକ୍ଷରୁ ଗତବର୍ଷ ଏଠାରେ ପଞ୍ଚାୟତ ନିର୍ବାଚନ କରିବାକୁ ଚେଷ୍ଟା ମଧ୍ୟ ହୋଇଥିଲା।
ତେବେ ଆଜି ଓଡ଼ିଶା ପକ୍ଷରୁ ମାଡ଼କାର, ଫଗୁଣସିନେରି, ତାଡ଼ିବାଲସା, ତଳ ଓ ଉପର ସେମ୍ବି ଏବଂ ଗଂଜେଇପଦର ଆଦି ୧୩ଟି ବୁଥ୍ରେ ପଞ୍ଚାୟତ ନିର୍ବାଚନ କରାଯାଉଛି ।
ପଡ଼ୋଶୀ ଆନ୍ଧ୍ର ପକ୍ଷରୁ ଯେପରି ନିର୍ବାଚନରେ କୌଣସି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ଜିଲ୍ଲା ଓ ପୁଲିସ୍ ପ୍ରଶାସନ ସଜାଗ ରହିଛି । କୋଟିଆ ପଂଚାୟତ ଆସୁଥିବା ପଟାଙ୍ଗୀ ଜୋନ୍ ୧ ଜିଲ୍ଲା ପରିଷଦ ଆସନରେ ଦୁଇ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଜଣେ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ଓ ଅନ୍ୟ ଜଣେ ନିଜକୁ ସର୍ବସାଧାରଣ ପ୍ରାର୍ଥୀ ଦାବି କରୁଥିବା ଟିକାଇ ଗେମେଲ୍ ॥ ସରପଞ୍ଚ ପଦ ପାଇଁ ମୈଦାନରେ ଅଛନ୍ତି ୭ ପ୍ରାର୍ଥୀ ।
Powered by Froala Editor