ହିଜାବ ଓ ସ୍କାର୍ଫ ବିବାଦ : ୟୁନିଫର୍ମକୁ ବାଧ୍ୟତାମୂଳକ କଲେ ସରକାର
କର୍ଣ୍ଣାଟକରେ ଛାତ୍ରୀମାନେ ହିଜାବ ଓ ସ୍କାର୍ଫ ପିନ୍ଧିବା ପ୍ରସଙ୍ଗକୁ ନେଇ ବିବାଦ ବଢ଼ିଛି। ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧି କଲେଜ ଆସିବା ଓ ହିନ୍ଦୁ ଛାତ୍ରମାନେ ଗୈରିକ ସ୍କାର୍ଫ ପକାଇ କଲେଜ ଆସିବାକୁ ନେଇ ତୀବ୍ର ବିବାଦ ଦେଖାଦେଇଛି । ବିବାଦ ବଢ଼ିବାରୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସରକାର କଲେଜ ୟୁନିଫର୍ମକୁ ବାଧ୍ୟତାମୂଳକ କରିଛନ୍ତି। ଏହି ଧରଣର ପୋଷାକ ସମାନତା, ଏକତା ଓ ସର୍ବସାଧାରଣ ନିୟମକୁ ଉଲ୍ଲଂଘନ କରୁଛି ବୋଲି ସରକାର ଦର୍ଶାଇଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି, କର୍ଣ୍ଣାଟକ ଶିକ୍ଷା ଆଇନ-୧୯୮୩ର ଧାରା ୧୩୩(ଖ) ଅନୁସାରେ ଏକ ୟୁନିଫର୍ମ ଷ୍ଟାଇଲର ପୋଷାକ ପିନ୍ଧିବା ବାଧ୍ୟତାମୂଳକ ।
ଇତି ମଧ୍ୟରେ କିଛି ହିନ୍ଦୁ ଛାତ୍ର ଦେହରେ ଗେରୁଆ ସାଲ୍ ପକାଇ କଲେଜ୍ ଯିବା ଆରମ୍ଭ କରିଛନ୍ତି। କୁଣ୍ଡାପୁର ଏବଂ ଉଡ଼ୁପି ଜିଲ୍ଲାର ଛାତ୍ର ଛାତ୍ରୀମାନେ ସେମାନଙ୍କ ସ୍କୁଲ୍ ୟୁନିଫର୍ମ ଉପରେ ଗେରୁଆ ସ୍କାର୍ଭ ପକାଇ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଉଥିବା ଭିଡିଓ ଜାରି ହୋଇଛି। ଅନ୍ୟ ଏକ ଭିଡିଓରେ ମୁସଲିମ ଛାତ୍ରୀମାାନେ ସେମାନଙ୍କ ୟୁନିଫର୍ମ୍ ଉପରେ ହିଜାବ୍ ପିନ୍ଧିଥିବା ଦେଖିବାକୁ ମିଳିଛି।
କର୍ଣ୍ଣାଟକ ଗୃହ ମନ୍ତ୍ରୀଏ. ଜ୍ଞାନେନ୍ଦ୍ର କହିଛନ୍ତି, ଛାତ୍ରୀମାନେ ସ୍କୁଲ୍ରେ ହିଜାବ କିମ୍ବା ଗେରୁଆ ସ୍କାର୍ଭ୍ ପକାଇବା ଉଚିତ ନୁହେଁ। ତେବେ ହିଜାବ ପିନ୍ଧିବାକୁ ନେଇ ଆନ୍ଦୋଳନ ବଢ଼ୁଥିବା ବେଳେ ରାଜ୍ୟ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ, ସବୁ ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ନିୟମ ଲାଗୁ ରହିବ ଏବଂ ଅନ୍ୟ ଅତିରିକ୍ତ ପରିଧାନକୁ ନିଷିଦ୍ଧ କରାଯାଇଛି। ଉକ୍ତ ପ୍ରସଙ୍ଗରେ ହାଇକୋର୍ଟ ରାୟ ଆସିବା ପର୍ଯ୍ୟନ୍ତ ସବୁ କଲେଜରେ ବର୍ତ୍ତମାନ ଜାରି ରହିଥିବା ୟୁନିଫର୍ମ ବ୍ୟବସ୍ଥା ଜାରି ରହିବ ବୋଲି ସରକାର କହିଛନ୍ତି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଶିକ୍ଷା ମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଛନ୍ତି। ତେବେ ବିରୋଧୀ ଦଳମାନେ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି।
Powered by Froala Editor