ଲତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା
ଭୁବନେଶ୍ୱର: ଭାରତର କୋକିଳା ଲତା ମଙ୍ଗେସ୍କର ମୃତୁ୍ୟବରଣ କରିଛନ୍ତି । ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କୁ ମୃତୁ୍ୟ ବେଳକୁ ୯୨ବର୍ଷ ହୋଇଥିଲା । ମୁମ୍ବାଇ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚିକିସôାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି । ସକାଳ ୮ଟାରେ ତାଙ୍କ ପାରଲୋକ ହୋଇଥିବା ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି।
ଜାନୁଆରୀ ୮ ତାରିଖରେ ଲତା ମଙ୍ଗେସ୍କର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ବୟସାଧିକ ଯୋଗୁ ତାଙ୍କୁ ସଙ୍ଗେ ସଙ୍ଗେ ବ୍ରିଚ୍କ୍ୟାଣ୍ଡି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ତା’ପରେ ସେ ନିମୋନିଆରେ ମଧ୍ୟ ପୀଡିତ ଥିବା ଜଣାପଡିଥିଲା । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଜାନୁଆରୀ ୨୮ ତାରିଖରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଡାକ୍ତର କହିଥିଲେ । ତେବେ ହଠାତ୍ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଯାଇଥିଲା । ତାଙ୍କୁ ପୁଣି ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ତାଙ୍କଠାରେ ଆଉ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା । ଆଉ ଆଜି ସକାଳେ ସେ ଆଖି ବୁଜି ଦେଇଛନ୍ତି ।
ଲତାଙ୍କ ବିୟୋଗରେ ଦେଶର ବହୁ ବିଶିଷ୍ଟ ଶୋକ ପ୍ରକାଶ କରିବା ସହ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ହରାଇ କାନ୍ଦୁଛି ସାରା ଦେଶ । ସେ ଛାଡି ଯାଇଥିବା ଶୂନ୍ୟସ୍ଥାନ କେବେବି ପୂରଣ ହୋଇପାରିବ ନାହିଁ । ସେ ଦେହ ତ୍ୟାଗ କରିଛନ୍ତି ସତ କିନ୍ତୁ ତାଙ୍କ ସଙ୍ଗୀତ ମାଧ୍ୟମରେ ପ୍ରତିଟି ବ୍ୟକ୍ତି ହୃଦୟରେ ସେ ସବୁଦିନ ପାଇଁ ବଞ୍ଚି ରହିବେ । ପ୍ରତିଟି ଗୀତିକାରଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିବେ ।
୧୯୨୯ ସେପ୍ଟେମ୍ବର ୨୮ ତାରିଖରେ ଇନେ୍ଦାରରେ ଜନ୍ମ ହୋଇଥିଲେ ଲତା ମଙ୍ଗେଶକର । ତାଙ୍କ ବାପାଙ୍କ ନାଁ ଥିଲା ଦୀନାନାଥ ମଙ୍ଗେଶକର ଓ ମା’ଙ୍କ ନାଁ ଥିଲା ସେବନ୍ତୀ । ଦୀନାନାଥ ମଙ୍ଗେଶକର ଜଣେ ଗାୟକ ଓ ଥିଏଟର ଅଭିନେତା ଥିଲେ । ଜନ୍ମବେଳେ ଲତାଙ୍କ ନାଁ ଥିଲା ହେମା । ପରେ ତାଙ୍କ ବାପାମା’ ତାଙ୍କ ନାଁ ଲତା ରଖିଥିଲେ । ଦୀନାନାଥଙ୍କ ଏକ ନାଟକର ଏକ ମହିଳା ଚରିତ୍ର ଲତିକା ଆଧାରରେ ଏହି ନାଁ ଦିଆଯାଇଥିଲା ।
ଲତା ଥିଲେ ତାଙ୍କ ବାପା ମା’ଙ୍କ ଜ୍ୟେଷ୍ଠ ସନ୍ତାନ । ମୀନା ଖଡିକର, ଆଶା ଭୋସଲେ, ଉଷା ମଙ୍ଗେସକର ଓ ହୃଦୟନାଥ ମଙ୍ଗେସକର ହେଉଛନ୍ତି ଲତାଙ୍କ ଭଉଣୀ ଓ ଭାଇ । ଆଉ ଏମାନେ ସମସ୍ତେ ଗାୟକ । ସଂଗୀତ ଶିକ୍ଷାରେ ଲତାଙ୍କ ପ୍ରଥମ ଗୁରୁ ଥିଲେ ତାଙ୍କ ବାପା । ସେ କଥା କହିବା ଶିଖିବା ପରେ ପରେ ତାଙ୍କ ବାପା ତାଙ୍କୁ ଗୀତ ଶିଖାଇଥିଲେ । ମାତ୍ର ୫ ବର୍ଷ ବୟସରେ ଲତା ମଙ୍ଗେଶକର ତାଙ୍କ ବାପାଙ୍କ ଏକ ମରାଠୀ ଗୀତିନାଟ୍ୟରେ ଅଭିନୟ କରିଥିଲେ ।
Powered by Froala Editor