ପ୍ରତିରକ୍ଷା କ୍ଷେତ୍ର ପାଇଁ ୫ ଲକ୍ଷ ୨୫ ହଜାର ୧୬୬ କୋଟି ଟଙ୍କା ବ୍ୟୟ ବରାଦ
ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୨-୨୩ର କେନ୍ଦ୍ରୀୟ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୫ ଲକ୍ଷ ୨୫ ହଜାର ୧୬୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ବଜେଟରେ ବିଦେଶରୁ ଅସ୍ତ୍ରଶସ୍ତ୍ର ଆମଦାନୀ କମାଇବା ସହ ଆତ୍ମନିର୍ଭର ଭାରତକୁ ବଳ ଦେବା ଉପରେ ଜୋର ଦିଆଯାଇଛି । କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରରେ ଗବେଷଣା ଓ ବିକାଶକୁ ଗତି ଦେବା ପାଇଁ ଘରୋଇ ସଂସ୍ଥା, ଷ୍ଟାର୍ଟଅପ କଂପାନୀ, ଏବଂ ଏକାଡେମିକ ଜଗତକୁ ସାମିଲ କରାଯିବ । ସେନାବାହିନୀ ପାଇଁ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ପାଇଁ ଘରୋଇ କଂପାନୀକୁ ପ୍ରୋତ୍ସାହିତ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ମଙ୍ଗଳବାର ନୂତନ ସ୍ପନ୍ଦନଶୀଳ ଗ୍ରାମ ଯୋଜନା ବିଷୟରେ ତାଙ୍କର ୨୦୨୨-୨୩ ବଜେଟ୍ ଭାଷଣରେ ଘୋଷଣା କରିଛନ୍ତି। ବିବାଦୀୟ ଭାରତ-ଚୀନ୍ ବା ଉତ୍ତର ସୀମାରେ ଥିବା ହାମଲେଟ୍ ଗୁଡ଼ିକୁ ଏହି ଯୋଜନାରେ ସାମିଲ କରାଯାଇଛି। ସୀତାରମଣ କହିଲେ ଯେ, କାଁଭାଁ ଲୋକ ବାସ କରୁଥିବା ଏହି ସୀମାନ୍ତ ଗ୍ରାମଗୁଡ଼ିକରେ ଭିତ୍ତିଭୂମି ନାହିଁ, ଯୋଗାଯୋଗ ବ୍ୟବସ୍ଥା ଉନ୍ନତ ନୁହେଁ ଏବଂ ଏଗୁଡ଼ିକ ବିକାଶ ଯୋଜନାରୁ ସବୁବେଳେ ବଞ୍ଚିତ ହୋଇ ଆସୁଛନ୍ତି । ଏହି ଗ୍ରାମଗୁଡ଼ିକ ଭିଭିପି ଯୋଜନାରେ ଆଧୁନିକୀକରଣ କରାଯିବ। ଗ୍ରାମଗୁଡ଼ିକରେ ଭିତ୍ତିଭୂମି ନିର୍ମାଣ କରାଯିବ। ଲୋକଙ୍କ ପାଇଁ କୋଠାଘର ନିର୍ମାଣ କରାଯିବ। ପର୍ୟ୍ୟଟନ କେନ୍ଦ୍ର ରହିବ ।
ରାସ୍ତା ସଂଯୋଗୀକରଣ ସହ ନବୀକରଣଯୋଗ୍ୟ ଶକ୍ତି ଦ୍ବାରା ବିଦ୍ୟୁତ୍ ସଂଯୋଗ ବା ଆଲୋକୀକରଣ ଆଦି କରାଯିବ। ଜାତୀୟ ଟିଭି ନେଟ୍ୱର୍କ ଦୂରଦର୍ଶନ ଓ ଶୈକ୍ଷିକ ଚାନେଲଗୁଡ଼ିକ ନିମନ୍ତେ ଡାଇରେକ୍ଟ-ଟୁ-ହୋମ୍ ଆକ୍ସେସ୍ର ବ୍ୟବସ୍ଥା କରାଯିବ। ଲୋକଙ୍କ ଜୀବିକା ନିର୍ବାହ ପାଇଁ ରୋଜଗାରର ବ୍ୟବସ୍ଥା କରାଯିବ। ଭିଭିପି ଓ ସୀମାନ୍ତ କ୍ଷୁଦ୍ର ଗ୍ରାମଗୁଡ଼ିକର ବିକାଶ ନିମନ୍ତେ କେନ୍ଦ୍ର ସରକାର ଅତିରିକ୍ତ ପାଣ୍ଠି ଖର୍ଚ୍ଚ କରିବେ । ତା’ ସହ ବର୍ତ୍ତମାନ ସରକାରୀ ଯୋଜନାରେ ଯେଉଁସବୁ ସୁବିଧା ସୁଯୋଗ ରହିଛି ସେସବୁ ମଧ୍ୟ ଉକ୍ତ ଗ୍ରାମଗୁଡ଼ିକର ଅଧିବାସୀ ପାଇପାରିବେ ।
ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଲୋକମାନେ ଗ୍ରାମରେ ସବୁ ସୁବିଧା ସୁଯୋଗ ପାଇଲେ ଜୀବିକା ନିର୍ବାହ ପାଇଁ ଆଉ ଅନ୍ୟତ୍ର ଚାଲିଯିବାକୁ ପଡ଼ିବ ନାହିଁ । ଏଠାରେ ଲୋକସଂଖ୍ୟା କମିଯାଉଥିବାରୁ ଏହି ଅଞ୍ଚଳ ଉପରେ ଭାରତ ନିଜର ଦାବିକୁ ଜୋରଦାର କରିବାରେ ଅସୁବିଧା ହେଉଛି ।
Powered by Froala Editor