ଥାନା ଆଗରେ ନିଜ ଦେହରେ ନିଆଁ ଲଗାଇଦେଲା ଯୁବକ
ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ଯୁବକ ଜଣକ ହେଲେ, ରଣ୍ଢା ଗ୍ରାମର କାଳିଆ ସାମନ୍ତରା। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଯୁବକଜଣକ ସେଠାରେ ଆଖି ବୁଜିଥିବା ଜଣାଯାଇଛି। ହେଲେ ଏପରି ଚରମ ନିଷ୍ପତ୍ତି ନେବାର କାରଣ ନା ପରିବାର ଲୋକ କହିପାରୁଛନ୍ତି ନା ପାଟି ଖୋଲୁଛି ପୁଲିସ୍ । କାଳିଆ ସୋମବାର ପ୍ରଥମ ଥର ପାଇଁ ଥାନାକୁ ଯାଇଥିଲେ ନା ଏହା ପୂର୍ବରୁ ବି କେବେ ଆସିଥିଲେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ସୂଚନା ଅନୁଯାୟୀ, ରଣ୍ଢା ଅଞ୍ଚଳର ସନ୍ତୋଷ ଗତକାଲି ଘରୁ ବାହାରି ଗୋଳନ୍ଥରା ଥାନାକୁ ଯାଇଥିଲେ। ଏନେଇ ପରିବାର ଲୋକଙ୍କ ପାଖରେ କିଛି ସୂଚନା ନଥିଲା। ହେଲେ ଥାନାରେ ଅଧ ଘଣ୍ଟା ରହିବା ପରେ ନିଜ ଦେହରେ କିରାସିନି ଢାଳି ଯୁବକ ଜଣକ ଆତ୍ମାହୁତି ଉଦ୍ୟମ କରିଥିଲେ। ଏପରିକି ଶରୀରରେ ନିଆଁ ଲାଗି ଯିବାରୁ ଥାନା ପରିସରରେ ଦୌଡ଼ିବାକୁ ଲାଗିଲେ ସନ୍ତୋଷ। ଏହାଦେଖି ଥାନା କର୍ମଚାରୀ ତୁରନ୍ତ ନିଆଁ ଲିଭାଇ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।
ଉଲ୍ଲେଖଯୋଗ୍ୟ ଯେ, ଗୋଳନ୍ଥରା ଥାନା ହାଜତ ଭିତରେ ଗତବର୍ଷ ମେ ୩ ତାରିଖରେ ଗଣେଶ ଡାକୁଆ ନାମକ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ ପଠାଇଥିଲେ।
Powered by Froala Editor