ରାଜ୍ୟରେ ଏହି ଦିନଠୁ ବର୍ଷା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ତଳକୁ ଖସୁଛି । କିଛି ଅଞ୍ଚଳରେ ସ୍ୱାଭାବିକ ଶୀତ ଅନୁଭୂତ ହେଉଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟ ମଧ୍ୟରେ ମାଲକାନଗିରି କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେ଼ଙ୍କାନାଳ ଏବଂ କଟକ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହେବା ସମ୍ଭାବନା ରହିଛି ।
ଉପରୋକ୍ତ ଜିଲ୍ଲାଗୁଡ଼ିକୁ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉପକୂଳରେ ୨୦ ତାରିଖରୁ ଏବଂ ଆଭ୍ୟନ୍ତରୀଣରେ ୨୧ରୁ ସର୍ବନିମ୍ନ ତାପମାତ୍ରା ବଢ଼ିବ । ୨୩ ତାରିଖ ସୁଦ୍ଧା ଉପକୂଳରେ ରାତି ତାପମାତ୍ରା ପ୍ରାୟ ୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ।
ଆଭ୍ୟନ୍ତରୀଣରେ ୩ ରୁ ୪ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ପାଗ ମେଘୁଆ ରହିବା ସହ ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ୨୩ ଓ ୨୪ରେ ସ୍ୱଳ୍ପ ବର୍ଷା ହୋଇପାରେ । ୨୪ ଓ ୨୫ରେ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରୁ ପବନ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବ । ୨୪ ଓ ୨୫ ତାରିଖରେ ଉପକୂଳରେ ପାଗ ମେଘୁଆ ରହିପାରେ ।
Powered by Froala Editor