କାଲିର ଲାଠି ଚାର୍ଜ ପରେ ପୁରୁଷ ଶୂନ୍ୟ ଢିଙ୍କିଆ ଗାଁ’
ଜଗତସିଂହପୁର: ଗତକାଲି ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ତେଜିଥିଲା ଆନେ୍ଦଳନ । ପ୍ରଶାସନ ପକ୍ଷରୁ ପାନ ବରଜ ଭଙ୍ଗା ଯାଉଥିବାବେଳେ ପୋଲିସ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଗ୍ରାମବାସୀଙ୍କ କହିବା ଅନୁସାରେ ସେମାନେ ଅହିଂସାର ସହ ଆନେ୍ଦାଳନ କରୁଥିଲେ । ଗାଁ’ରେ ପଶି ପୋଲିସ୍ ଗ୍ରାମର ଉଭୟ ପୁରୁଷ ଓ ମହିଳାଙ୍କୁ ଲାଠି ଚାର୍ଜ କରିଥିଲା । ଦୀର୍ଘ ଦିନ ହେଲା ଜେଏସଡବ୍ଲୁ୍ୟ ପ୍ରକଳ୍ପକୁ ଢିଙ୍କିଆବାସୀ ବିରୋଧ କରିଆସୁଥିଲେ ।
ତେବେ ଗତକାଲି ବିରୋଧ ନେଇଥିଲା ତୀବ୍ରତର ରୂପ । ପ୍ରଶାସନିକ ଅଧିକାରୀଙ୍କୁ ଗାଁରେ ପ୍ରବେଶ କରାଇନଦେବାକୁ ସମସ୍ତ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ତେବେ ଗାଁ ଲୋକଙ୍କ ବିରୋଧକୁ ଦମନ କରିବା ଲାଗି ପୋଲିସ ମାଡବର୍ଷା କରିଥିଲା । ପୋଲିସର ନୃଶଂସ ଲାଠି ଚାର୍ଜ ପରେ ଅନେକ ଗ୍ରାମବାସୀ ଆହତ ହୋଇଥିଲେ । ଏହପରେ କେତେକ ଗ୍ରାମବାସୀ ଏବେ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି ଓ ଆଜି ଢିଙ୍କିଆ ଗାଁ’ ପୁରୁଷ ଶୂନ୍ୟ ହୋଇପଡିଛି ।
ଅନ୍ୟପଟେ ଗତକାଲିର ଘଟଣା ପରେ ଆଜି ପ୍ରଶାସନ ପକ୍ଷରୁ ହେଉଥିବା ପାନବରଜ ଉଚ୍ଛେଦ କାର୍ଯ୍ୟକ୍ରମ ବନ୍ଦ ରହିଛି । ଏବେ ଗାଁରେ ପଇଁତରା ମାରୁଛି ପୋଲିସ । ଘଟଣାରେ ମୋଟ୍ ୮ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ୬ ଜଣ ଓ ଆଜି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ପୋଲିସର ଲାଠିମାଡ ପରେ ଖାଲି ହୋଇଯାଇଛି ଢିଙ୍କିଆ ଗାଁ ।
Powered by Froala Editor