ବିମାନ ବନ୍ଦରକୁ ଛାଡିଲେନି ମ୍ୟାନେଜର୍, ରାଗରେ ପାଣି ବନ୍ଦ କରିଦେଲେ ବିଧାୟକଙ୍କ ପୁଅ
![ବିମାନ ବନ୍ଦରକୁ ଛାଡିଲେନି ମ୍ୟାନେଜର୍, ରାଗରେ ପାଣି ବନ୍ଦ କରିଦେଲେ ବିଧାୟକଙ୍କ ପୁଅ](https://odishanewslens.com/news_gallery/9797_1642086821.jpeg)
ରେନୀଗୁଣ୍ଟା ବିମାନ ବନ୍ଦର ମ୍ୟାନେଜର୍ ସୁନୀଲ ଏବଂ ତିରୁପତି ଡେପୁଟି ମେୟର ତଥା ଆନ୍ଧ୍ର ପ୍ରଦେଶ ବିଧାୟକ ବି. କରୁନାକର ରେଡ୍ଡୀଙ୍କ ପୁଅ ଅଭିନୟ ରେଡ୍ଡୀଙ୍କ ମଧ୍ୟରେ ବିବାଦକୁ ନେଇ ହୀନସ୍ତା ହୋଇଛନ୍ତି କର୍ମଚାରୀ । ବିମାନ ବନ୍ଦର ଏବଂ ‘ଷ୍ଟାଫ୍ ରେସିଡେନ୍ସିଆଲ୍ କ୍ବାର୍ଟର୍ସ’କୁ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଛି।
ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତାର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଆନ୍ଧ୍ର ପ୍ରଦେଶ ମନ୍ତ୍ରୀ ବୋତ୍ସା ସତ୍ୟନାରାୟଣ ତିରୁପତି ଗସ୍ତରେ ଯାଇଥିଲେ। ତାଙ୍କ ସହିତ ଥିଲେ ‘ତିରୁମାଲା ତିରୁପତି ଦେବସ୍ଥାନମ୍ସ୍’ (ଟିଟିଡି) ଅଧ୍ୟକ୍ଷ ୱାଇ.ଭି. ସୁବ୍ବା ରେଡ୍ଡୀ। ଉଭୟଙ୍କୁ ସ୍ବାଗତ କରିବା ଲାଗି ଅଭିନୟ ରେଡ୍ଡୀ ବିମାନ ବନ୍ଦରକୁ ଯାଇଥିଲେ। ସେତେବେଳେ ଏୟାରପୋର୍ଟରେ ପ୍ରବେଶ ପାଇଁ ଅଭିନୟ ଉଦ୍ୟମ କରିଥିଲେ। ହେଲେ ନିୟମର ଅନୁପାଳନ କରି କର୍ମଚାରୀମାନେ ତାଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ। ଫଳରେ ଅଭିନୟ ଏବଂ ବିମାନ ବନ୍ଦର କର୍ମଚାରୀଙ୍କ ମଧ୍ୟରେ ବାକ୍ବିତଣ୍ଡା ସୃଷ୍ଟି ହୋଇଥିଲା।
ଏହାପରେ ରେନୀଗୁଣ୍ଟା ବିମାନ ବନ୍ଦର ଏବଂ ଷ୍ଟାଫ୍ ରେସିଡେନ୍ସିଆଲ୍ କ୍ବାର୍ଟର୍ସକୁ ଜଳ ଯୋଗାଣ କାଟି ଦିଆଯାଇଥିଲା। ଏହି କାଣ୍ଡକୁ ଅଭିନୟଙ୍କ ପ୍ରତିହିଂସା ବୋଲି ବିବେଚନା କରାଯାଇଛି। କିନ୍ତୁ, ପୌର କର୍ତ୍ତୃପକ୍ଷ କହିଛନ୍ତି ଯେ, ପାଇପ୍ଲାଇନ୍ ଭିତରେ ଅବରୋଧ ଯୋଗୁଁ ଜଳ ଯୋଗାଣ ବ୍ୟାହତ ହୋଇଥିଲା। ଘଟଣାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁତ୍ୱର ସହ ନେଇଛନ୍ତି। ସେ ନିଜେ ଘଟଣାର ସମୀକ୍ଷା କରିବେ ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।
Powered by Froala Editor