ବ୍ୟାଙ୍କ ଲୁଟି ପଳାଉଥିଲେ ୪ ଡକାୟତ, କୋଠାଘରୁ ଧରିଲା ପୋଲିସ
ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୪ ଦୁର୍ବୃତ୍ତ ବ୍ୟାଙ୍କ୍ ଲକରରୁ ସୁନାଗହଣା ସହ ନଗଦ ୭/୮ ଲକ୍ଷ ଟଙ୍କା ଲୁଟିନେଇଥିବା ଜଣାପଡ଼ିଛି। ତେବେ ଢେଙ୍କାନାଳ ଗୋବିନ୍ଦପୁର ଫାଣ୍ଡି ଅଧିନ ଏକ କୋଠାଘରୁ ପୋଲିସ ସେମାନଙ୍କୁ ଗୋଡାଇ ଗୋଡାଇ ଧରିଛି । ଡକାୟତଙ୍କୁ ପଚରା ଉଚରା କରାଯାଉଛି । ସେମାନଙ୍କ ଠାରୁ ଲୁଟ ସୁନା, ଗୋଟିଏ କାର ଓ ଗୋଟିଏ ବୁଲେଟ ଜବତ କରାଯାଇଛି ।
ରାସୋଳ ଥାନା ଠାରୁ ମାତ୍ର ୨୦୦ ମିଟର୍ ପାଖରେ ରହିଛି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ। ବ୍ୟାଙ୍କ୍ ବନ୍ଦ କରିବାର କିଛି ସମୟ ପୂର୍ବରୁ ୪ଜଣ ଦୁର୍ବୃତ୍ତ ମୁହଁରେ ମୁଖା ପିନ୍ଧି ଦୁଇଟି ବାଇକରେ ପହଞ୍ଚିଥିଲେ। ସେମାନଙ୍କ ପାଖରେ ଛୁରୀ, ଭୁଜାଲି ଓ ଲୁହାର ପଞ୍ଚ ଥିଲା। ସେମାନେ ବ୍ୟାଙ୍କ ଭିତରେ ପ୍ରବେଶ କରି ବ୍ୟାଙ୍କର ମ୍ୟାନେଜର ସମେତ ମୋଟ ତିନିଜଣଙ୍କୁ ଷ୍ଟ୍ରଙ୍ଗ ରୁମ୍ ଭିତରେ ତାଲା ପକାଇ ଦେଇଥିଲେ। ତେବେ ବାହାରେ ଥିବା ଦୁଇ ଜଣ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଆହତ କରିଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ସୁନାଗହଣା ସହ ୭ରୁ ୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଖବର ପାଇ ହିନ୍ଦୋଳ ଏସଡିପି ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବା ସହ ତଦନ୍ତ ଆରମ୍ଭ କରିଥିଲେ ।
Powered by Froala Editor