ବିଜେପି ଛାଡ଼ିଥିଲେ ୪, ପୁଣି ଇସ୍ତଫା ଦେଲେ ଆଉ ଜଣେ
ସ୍ବାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡ଼ିବାର ୨୪ ଘଣ୍ଟା ନ ପୂରୁଣୁ କ୍ୟାବିନେଟ୍ ମନ୍ତ୍ରୀ ଦାରା ସିଂ ଚୌହାନ ପଦ ଛାଡ଼ିଛନ୍ତି । ସେ ଯୋଗୀ କ୍ୟାବିନେଟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିଲେ । ସେ ଜଣେ ଓବିସି ବର୍ଗର ନେତା। ଜଣଙ୍କ ପରେ ଜଣେ ଓବିସି ବର୍ଗର ନେତା ମନ୍ତ୍ରୀ ପଦ ଓ ଦଳ ଛାଡ଼ିବା ବିଜେପିର ମୁଣ୍ଡ ବିନ୍ଧାକୁ ବଢ଼ାଇ ଦେଇଛି।
ଶ୍ରୀ ଚୌହାନ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ “ମୁଁ ବେଶ ନିଷ୍ଠାର ସହ କାମ କରିଥିଲି। କିନ୍ତୁ ଏବେ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି। କାରଣ ଏହି ସରକାର ପଛୁଆ ବର୍ଗ, ଦଳିତ, ଚାଷୀ, ବେକାରୀ ଯୁବଗୋଷ୍ଠୀଙ୍କ ବିରୋଧରେ କାମ କରୁଛି। ସେମାନଙ୍କ ଉପରେ ଅତ୍ୟାଚାର କରିବାରେ ଲାଗିଛି। ପଛୁଆ ବର୍ଗ ଓ ଦଳିତଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗକୁ ଅବହେଳା କରି ଆସିଛି। ଏଥିପାଇଁ ମୁଁ ଏହି ସରକାର ସହ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରୁଛି।” ସେ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି । ଜଣକ ପରେ ଜଣେ ମନ୍ତ୍ରୀ ଦଳ ଛାଡୁଥିବାରୁ ବିଜେପି ପାଇଁ ବିପଦ ବଢିଚାଲିଛି । ନିଜ ଇସ୍ତଫାର ପୁନର୍ବିଚାର କରିବାକୁ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଦାରା ସିଂ ଚୌହାନଙ୍କୁ ନିବେଦନ କରିଛନ୍ତି । ଗତକାଲି ବିଜେପିର ୪ ବରିଷ୍ଠ ବିଧାୟକ ଦଳଛାଡ଼ି ସମାଜବାଦୀପାର୍ଟିରେ ଯୋଗ ଦେଇଥିଲେ ।
Powered by Froala Editor