ସାରସ୍ବତ ସାହିତ୍ୟର ସାଧକ ପଦ୍ମ ଭୂଷଣ ମନୋଜ ଦାସ ଆଉ ନାହାନ୍ତି
ବିଶିଷ୍ଟ ସାରସ୍ବତ ସାହିତ୍ୟର ସାଧକ ପଦ୍ମ ଭୂଷଣ ମନୋଜ ଦାସ ଆଉ ନାହାନ୍ତି । ପୁଡ଼ୁଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂ ହୋମରେ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ ଗତ କିଛି ବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ପରଲୋକରେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ଏକ ଯୁଗର ଅନ୍ତ ଘଟିଛି ।
୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ବାଲେଶ୍ବର ଜିଲ୍ଲା ଶଙ୍ଖାରୀ ଗାଁରେ ଜନ୍ମ ଗ୍ରହଣ କରିଥିଲେ ମନୋଜ । ମନୋଜ ଦାସ ଏକାଧାରାରେ ଜଣେ ସାହିତ୍ୟିତ, ସମ୍ପାଦକ ଏବଂ ସ୍ତମ୍ଭକାର । ଓଡିଆ ସାହିତ୍ୟ ତଥା ଭାରତ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ । ସାହିତ୍ୟ ପ୍ରତି ଏକାଗ୍ରତା, ଭଲପାଇବା ଏବଂ ଅବଦାନ ପାଇଁ ୨୦୦୧ ମସିହାରେ ପଦ୍ମଶ୍ରୀ ଏବଂ ୨୦୨୦ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଏହା ବାଦ ସାହିତ୍ୟ ଏକାଡେମୀ ଏବଂ ସରସ୍ବତୀ ସମ୍ମାନରେ ସମ୍ମାନୀତ ହୋଇସାରିଛନ୍ତି । ଅନେକ କାଳଜୟୀ ଉପନ୍ୟାସର ସ୍ରଷ୍ଟା ହେଉଛନ୍ତି ସାହିତ୍ୟିକ ମନୋଜ ଦାସ । ଦୀର୍ଘବର୍ଷ ଧରି ସେ ସାହିତ୍ୟ ସାଧନାରେ ବ୍ରତୀ ରହିବା ସହ ପୁଡୁଚେରୀସ୍ଥିତ ଶ୍ରୀଅରବିନ୍ଦ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟରେ ବରିଷ୍ଠ ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରୁଥିଲେ ।
ସାଧକ ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। କିମ୍ବଦନ୍ତୀ ସାହିତ୍ୟିକ ମନୋଜ ଦାସଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ମୁଁ ଅତ୍ୟନ୍ତ ଦୁଃଖିତ ଟୁଇଟ କରି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବର୍ଗତ ମନୋଜ ଦାସଙ୍କ ଅମଳିନ ପ୍ରତିଭା ସାହିତ୍ୟ ଓ ଦର୍ଶନ ଜଗତ ପାଇଁ ସବୁବେଳେ ଏକ ଆଲୋକ ସ୍ତମ୍ଭ ହେଇ ରହିଥିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ବିୟୋଗରେ ଉତ୍କଳ ଜନନୀ ତାର ଅନ୍ୟତମ ସୁଯୋଗ୍ୟ ସନ୍ତାନକୁ ହରାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Powered by Froala Editor