ବାଂଲାଦେଶରେ ମିଳିମିଳା ମହାମାରୀ !୨୫୦ ଜଣଙ୍କ ମୃତ୍ୟୁ
ମିଳିମିଳାର ଘାତକ ଲହରୀର ସାମ୍ନା କରୁଛି ବାଂଲାଦେଶ। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ମଣିଷଙ୍କ ଜୀବନ ଛଟପଟ କରି ଯାଉଛି । ମିଳିମିଳା ଯୋଗୁ ମାର୍ଚ୍ଚ ୧୫ରୁ ଇତି ମଧ୍ୟରେ ୨୫୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଛନ୍ତି। ସମସ୍ତେ ମିଳିମିଳା ଜନିତ ଲକ୍ଷଣ ଯୋଗୁ ଆଖି ବୁଜିଛନ୍ତି। ଦେଢ଼ ମାସରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇବା ବାଂଲାଦେଶ ଇତିହାସର ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମ। ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶର ପୂର୍ବତନ ଅନ୍ତରୀଣ ସରକାରର ମୁଖିଆ ମହମ୍ମଦ ୟୁନୁସଙ୍କ ବିରୋଧରେ ଜନଅସନ୍ତୋଷ ପ୍ରକାଶ ପାଇଛି।
ବାଂଲାଦେଶରେ ଏହି ଭୟଙ୍କର ପରିସ୍ଥିତି ଯୋଗୁଁ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍ଓ ଚିନ୍ତା ପ୍ରକଟ କରିଛି । ଭାରତ ଏବଂ ମିଆଁମାର ଭଳି ଦେଶରେ ଏହା ବ୍ୟାପିବା ନେଇ ଆଶଙ୍କା କରାଯାଉଛି ।
ବିଶେଷଜ୍ଞ କହିଛନ୍ତି, ଭାରତ ମିଳିମିଳା ବିରୁଦ୍ଧରେ ଟୀକାକରଣ ଜାରି ରଖିଛି, କିନ୍ତୁ ସତର୍କତାକୁ ବିଲକୁଲ ଏଡାଇବା ଉଚିତ ନୁହେଁ । ଡବ୍ଲୁଏଚ୍ଓ କହିଛି, ମିଳିମିଳା ଯୋଗୁ ବାଂଲାଦେଶର ୮ଟି ଡିଭିଜନର ୬୪ ଜିଲ୍ଲାରୁ ୫୮ଟିରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ମିଳିମିଳା ପାଇଁ ବାଂଲାଦେଶ ଟୀକାକରଣ କରିଥିଲା । କିନ୍ତୁ ଏବେ ଏହା ମାରାତ୍ମକ ରୂପ ନେଇଛି ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମାର୍ଚ୍ଚ ୧୫ରୁ ଇତି ମଧ୍ୟରେ ୪୩ ଜଣ ମିଳିମିଳା ଯୋଗୁ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୨୧୬ ଜଣ ସନ୍ଦିଗ୍ଧ ମିଳିମିଳା ଯୋଗୁ ଆଖି ବୁଜିଛନ୍ତି। ପ୍ରାୟ ୯୧% ମିଳିମିଳା ମାମଲା ୧ ବର୍ଷରୁ ୧୪ ବର୍ଷ ବୟସ ମଧ୍ୟରେ ଥିବା ପିଲାଙ୍କ କ୍ଷେତ୍ରରେ ଦେଖା ଯାଉଛି।ମାର୍ଚ୍ଚ ୧୫ରୁ ଇତି ମଧ୍ୟରେ ୭୫୦୦ ମିଳିମିଲା ମାମଲା ସାମ୍ନାକୁ ଆସିବା ପରେ ବାଂଲାଦେଶ ସରକାର ଜରୁରୀକାଳିନ ଟିକାକରଣ ଅଭିଯାନ ରବିବାର ଠାରୁ ଆରମ୍ଭ କରିଛନ୍ତି।
Powered by Froala Editor