ଆଖିରେ ଲଙ୍କାଗୁଣ୍ଡ ପକାଇ ଆର୍କିଟେକ୍ଟଙ୍କୁ ଅପହରଣ

ବ୍ରହ୍ମପୁର ଉପକଣ୍ଠ ଆଇଜର୍ ନିକଟରେ ଏକ ହୋଟେଲର ଆର୍କିଟେକ୍ଟ କାମ ପାଇଁ ଦୁଇ ଜଣଙ୍କୁ ଡାକି ଅପହରଣ କରାଯାଇଥିଲା । ମୁଣ୍ଡ ଜାମିନ ବଦଳରେ ଦୁଇ ଜଣଙ୍କ ପରିବାର ଲୋକଙ୍କୁ ୩୦ ଲକ୍ଷ ଟଙ୍କା ମାଗିଥିଲେ ଅପହରଣକାରୀ। ତେବେ ଅପହରଣକାରୀଙ୍କ ଅସାବଧାନତାର ସୁଯୋଗ ନେଇ ଡେଇଁ ଖସି ଆସିଛନ୍ତି ଦୁଇ ଜଣ। ଏନେଇ ୨ ଅପହୃତ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିବା ବେଳେ ତଦନ୍ତ କରୁଛି ପୋଲିସ ।
ସୂଚନା ଅନୁସାରେ, ୩ ତାରିଖ ସକାଳେ ଭୁବନେଶ୍ୱର ଅଞ୍ଚଳର ଆର୍କିଟେକ୍ଟ ଦିବ୍ୟସ୍ମୃତି ସାହୁ ଓ ସେକ୍ ସାହେନବାଜଙ୍କୁ ଫୋନ୍ ଆସିଥିଲା । ଫୋନ୍ ପାଇ ଉଭୟ ବ୍ରହ୍ମପୁର ଉପକଣ୍ଠ କନିଶିରେ ସେହିଦିନ ସନ୍ଧ୍ୟାରେ ପହଞ୍ଚିଥିଲେ । ଏହା ପରେ ୪ ଜଣ ଆସି ଦୁହିଁଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ କାରରେ ଅପହରଣ କରି ନେଇଥିଲେ । ପରେ ଲାଉଡ଼ିଗାଁ, ବ୍ରହ୍ମପୁର, ଆସିକା, ବାଲିସିରା ସମେତ ଭଞ୍ଜନଗର ବୁଲାଇ ବୁଲାଇ ଶେଷରେ ବ୍ରହ୍ମପୁର ଆଣୁଥିଲେ । ଏହି ସମୟରେ ଉଭୟ କାରରୁ ଡେଇଁ ପଡିଥିଲେ ବୋଲି ପୋଲିସକୁ କହିଛନ୍ତି ।
ତେବେ ଅପହରଣ ରାତିରେ ଅପହରଣକାରୀମାନେ ଦିବ୍ୟସ୍ମୃତିଙ୍କ ପରିବାର ଲୋକଙ୍କୁ ୩୦ଲକ୍ଷ ଟଙ୍କା ଅର୍ଥ ମାଗିଥିବା ଅଭିଯୋଗ କରିଛନ୍ତି । ଗୋଳନ୍ଥରା ଥାନା ପୋଲିସ ସେମାନଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରୁଥିବା ଜଣାପଡିଛି । ଅପହରଣକାରୀମାନେ କାରକୁ ଗୋଶାଣୀନୂଆଗାଁ ଥାନା ଅନ୍ଧପସରା ରୋଡ଼ କଡ଼ରେ ରଖି ପଳାଇଥିବା ବେଳେ ଦୁଇ ଅଭିଯୋଗକାରୀଙ୍କ ନିକଟରୁ ମୋବାଇଲ, ଆଇପ୍ୟାଡ଼, ଅନ୍ୟାନ୍ୟ ଜିନିଷ ଲୁଟ କରି ନେଇଥିବା ପୋଲିସ ନିକଟରେ ଅଭିଯୋଗ କରିଥିବା କୁହାଯାଉଛି ।
Powered by Froala Editor