ମାଞ୍ଜା ସୂତାରେ କଟିଲା ଯୁବତୀଙ୍କ ବେକ
ଚନ୍ଦ୍ରଶେଖରପୁର : ସ୍ଥାନୀୟ ଗାଡ଼କଣ ଖେଳପଡ଼ିଆ ନିକଟରେ ଗୁଡ଼ି ମାଞ୍ଜା ସୂତାରେ ବୁଧବାର ଦିନ ଜଣେ ଯୁବତୀଙ୍କୁ ବେକ କଟିଯାଇଛି । ଆହତ ଯୁବତୀ ହେଲେ ମଞ୍ଚେଶ୍ୱର ଥାନା ଭୋଟପଡ଼ା ଅଞ୍ଚଳର ଲକି ବେହେରା(୧୯) । ତାଙ୍କ ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଛି ଓ ୩ଟି ଷ୍ଟିଚ ପଡ଼ିଛି । ସୌଭାଗ୍ୟକୁ ଲକି ସାଇକେଲରେ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବାରୁ ଅଳ୍ପକେ ବର୍ତ୍ତିଯାଇଥିବା ଚର୍ଚ୍ଚା ହେଉଛି ।
ବାଇକ ବା ସ୍କୁଟି ଭଳି କୌଣସି ଦ୍ରୁତଗାମୀ ଗାଡ଼ି ହୋଇଥିଲେ ଅବସ୍ଥା ସାଂଘାତିକ ହୋଇଥାଆନ୍ତା ବୋଲି କୁହାଯାଉଛି । ସ୍ଥାନୀୟଲୋକଙ୍କ ସୂଚନାନୁସାରେ ସକାଳେ ଲକି ଏକ ସାଇକେଲ ଯୋଗେ ଗାଡ଼କଣ ଖେଳପଡ଼ିଆ ଦେଇ ଡମଣା ଆଡ଼କୁ ଯାଉଥିଲେ । ସେତିକିବେଳେ ସ୍ଥାନୀୟ ବସ୍ତିର କିଛି ପିଲା ସେଠାରେ ଗୁଡ଼ି ଉଡ଼ାଉଥିଲେ । ରାସ୍ତା ଉପରେ ଗୁଡ଼ିର ମାଞ୍ଜା ସୂତା ଲମ୍ବି ଥିଲା । ମାତ୍ର ଲକି ତାହାକୁ ଦେଖି ପାରିନଥିଲେ ।
ହଠାତ୍ ଏକ ମାଞ୍ଜା ସୂତା ତାଙ୍କ ବେକରେ ଛନ୍ଦି ହୋଇଯାଇଥିଲା । ତେବେ ଯଥାଶୀଘ୍ର ସାଇକେଲ ବ୍ରେକ କରିଥିଲେ । କିନ୍ତୁ ସେତେବେଳକୁ ବେକରେ ଗଭୀର କ୍ଷତ ହୋଇ ସାରିଥିଲା । ତୁରନ୍ତ ସ୍ଥାନୀୟ କିଛି ଯୁବକ ତାଙ୍କ ବେକରୁ ସୂତା ବାହାର କରିବା ସହିତ ପ୍ରାଥମିକ ଚିକିତ୍ସା କରାଇଥିଲେ ଓ ଏକ ଅଟୋ ଯୋଗେ ତାଙ୍କୁ ସ୍ଥାନୀୟ ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରାଇଥିଲେ ।
Powered by Froala Editor