ବଦଳିବନି ସ୍କୁଲ ଖୋଲିବା ନିଷ୍ପତ୍ତି
ଭୁବନେଶ୍ୱର: ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଆସନ୍ତା ୩ ତାରିଖରୁ ଖୋଲିବା ନେଇ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ ପରେ ବିବାଦ ସୃଷ୍ଟି ହୋଇଛି । କୋଭିଡ-୧୯ର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଉଥିବାବେଳେ ଏହି କୋମଳମତି ପିଲାଙ୍କ ପାଇଁ ଅଫଲାଇନ୍ କ୍ଲାସ ଆରମ୍ଭ କରିବାକୁ କିଏ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦେଲା ଓ ପିଲାଙ୍କ ଜୀବନକୁ ବିପଦକୁ ଠେଲିବାର ଏଭଳି ଚିନ୍ତାଧାରାକୁ ନେଇ ଅଭିଭାବକ ମହାସଂଘ ଓ ଶିକ୍ଷାବିତମାନେ ବିରୋଧ କରିଥିଲେ ।
ଗତକାଲି ଡିଏମଇଟି ଡ. ରମାରମଣ ମହାନ୍ତି କହିଥିଲେ ଯେ, ପ୍ରଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିପାରେ । ରାଜ୍ୟ ସରକାର ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ । ପ୍ରାଥମିକ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୁଏତ ପୂର୍ବରୁ ନିଆଯାଇଥାଇପାରେ ବୋଲି ଡିଏମଇଟି କହିଥିଲେ । ଯେତେବେଳେ ଏ ନିଷ୍ପତ୍ତି ନିଆଯାଇଥିଲା, ସେତେବେଳେ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲା ଓ ଓମିକ୍ରନର ଭୟ ମଧ୍ୟ ନଥିଲା । ବର୍ତ୍ତମାନ ଓଡିଶାରେ କରୋନା ସଂକ୍ରମଣ ଉପରମୁହାଁ ହେଉଥିବାବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ, ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳି ପାରେ ବୋଲି ଡିଏମଇଟି କହିଥିଲେ, କିନ୍ତୁ ଡିଏମଇଟିଙ୍କ ବକ୍ତବ୍ୟକୁ ନେଇ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଏହିଭଳି ମତ ଆଦୌ ଠିକ୍ ହୋଇନଥିବା ବିଭାଗୀୟ ଅଧିକାରୀମାନେ କହିଥିଲେ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ । ଜାନୁୟାରୀ ୩ରୁ ହିଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍ ପାଠପଢା ଆରମ୍ଭ ହେବ । ସ୍କୁଲ ଖୋଲିବା ପୂର୍ବରୁ କ୍ୟାମ୍ପସକୁ ସଫେଇ କରିବା, କ୍ଲାସିରୁମ୍, ଡେସ୍କ, ବେଞ୍ଚ ସରଞ୍ଜାମକୁ ବିଶୋଧନ କରିବାକୁ ପ୍ରାଥମିକତା ଦେବାକୁ ନିଦେ୍ର୍ଧଶ ଦିଆଯାଇଛି ।
Powered by Froala Editor