ଦିଲ୍ଲୀରେ ଡାକ୍ତର-ପୁଲିସ ଧସ୍ତାଧସ୍ତି

NEET-PG କାଉନ୍ସେଲିଂରେ ବିଳମ୍ବକୁ ବିରୋଧ କରି ଦିଲ୍ଲୀରେ ପୁଣି ଡାକ୍ତର ଏବଂ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ଡାକ୍ତରମାନେ ଶୋଭାଯାତ୍ରା ବାହାର କରିବାକୁ ଚାହୁଁଥିଲେ। କିନ୍ତୁ ଦିଲ୍ଲୀ ପୁଲିସ ସେମାନଙ୍କୁ ଅଟକାଇଛି। ଏହାପରେ ଦିଲ୍ଲୀରେ ଆନ୍ଦୋଳନରତ ଡାକ୍ତର ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୁଲିସ ଅମାନବୀୟ ଭାବେ ଆକ୍ରମଣ କରିଛନ୍ତି ବୋଲି ଡାକ୍ତରମାନେ ଅଭିଯୋଗ କରିଛନ୍ତି । ସୋମବାର ହୋଇଥିବା ସଂଘର୍ଷରେ ଉଭୟ ଡାକ୍ତର ଓ ପୁଲିସ ପକ୍ଷରୁ ଦାବି କରାଯାଇଛି କି ସେମାନଙ୍କ ପକ୍ଷରୁ ବହୁ ଲୋକ ଆହତ ହୋଇଛନ୍ତି ।
ଡାକ୍ତର ସଂଗଠନ ଫେଡେରେସନ୍ ଅଫ୍ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ୍ ଦେଶବ୍ୟାପୀ ହରତାଳ ଘୋଷଣା କରିଛି । ପୁଲିସର ମାଡ଼ ପ୍ରତିବାଦରେ ଦେଶବ୍ୟାପୀ ସ୍ୱାସ୍ଥ୍ୟ ସୁବିଧା ବନ୍ଦ କରିବା ପାଇଁ ଘୋଷଣା କରିଛି ସଂଗଠନ । ଏହାସହ ଡାକ୍ତରଙ୍କୁ ଆକ୍ରମଣ କରିଥିବା ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ସଙ୍ଗଠନ ଦାବି କରିଛି । ଡାକ୍ତରଙ୍କ ପାଇଁ ଏହା ଏକ କଳା ଦିନ ବୋଲି ସେମାନେ କହିଛନ୍ତି । ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ୩ଟି ସରକାରୀ ଡାକ୍ତରଖାନା ସଫଦରଜଙ୍ଗ, ଆରଏମ୍ଏଲ ଏବଂ ଲେଡି ହାର୍ଡିଂ ସମେତ ଅନ୍ୟାନ୍ୟ ସ୍ଥାନରେ ଚିକିତ୍ସା ସେବା ବ୍ୟାହତ ହୋଇଛି ।
ସୂଚନା ଯେ, ଗତ ଏକ ବର୍ଷରୁ ଆଡମିଶନ ପାଇଁ କାଉନ୍ସେଲିଂ ବନ୍ଦ ରହିଛି। ଏହାକୁ ନେଇ ରେସିଡେଣ୍ଟ ଡାକ୍ତରମାନେ ଲଗାତର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସୋମବାର ଦିନ ପୁଲିସ ସହ ସେମାନଙ୍କ ସଂଘର୍ଷ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରେ ଏହି ଗଣ୍ଡଗୋଳ ଜାରି ରହିଥିଲା। ଏହାକୁ ବିରୋଧ କରି ଡାକ୍ତରମାନେ ମଙ୍ଗଳବାର ପୁଣି ଥରେ ଶୋଭାଯାତ୍ରା ଡାକିଥିଲେ। ଡାକ୍ତରମାନେ ସଫଦରଗଞ୍ଜରୁ ସୁପ୍ରିମକୋର୍ଟ ଯାଏଁ ପଦଯାତ୍ରା କରିବାକୁ ଚାହୁଁଥିଲେ। ଏହି ସମୟରେ ପୁଲସ ଏମାନଙ୍କୁ ଅଟକାଇଛି। ଏହାକୁ ନେଇ ଡାକ୍ତରମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏପରିକି ଗତକାଲି ପୁଲିସ ଆନ୍ଦୋଳନକାରୀ ଡାକ୍ତରଙ୍କ ଉପରେ ଲାଠିଚାର୍ଜ ମଧ୍ୟ କରିଛି। ଏବେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିଛି।
Powered by Froala Editor