ତାଲିବାନୀ ଶାସନ ପାଇଁ ବାପା ମା’ଠୁ ଦୂରେଇ ଯାଇଛି ୨ ବର୍ଷର ପୁଅ

ଭାଗ୍ୟର ବିଡ଼ମ୍ବନା । ନହେଲେ ୨ ବର୍ଷର କଅଁଳ ଶିଶୁଟି ଆଜି ବାପା, ମା’ଙ୍କ ଠାରୁ ୧ ହଜାର କି.ମି ଦୂରରେ ରହି ନଥାନ୍ତା । ଏ ଖବର ପ୍ରଚାର ହେବା ପରେ ସମସ୍ତଙ୍କ ମନ କୋହରେ ଭରି ଯାଉଛି । ୨ ବର୍ଷର ଶିଶୁକୁ ଦେଖି ତା ବାପା ମା’ଙ୍କ ଉପରେ କ’ଣ ବିତୁଥିବ ଭାବୁଛନ୍ତି । ତେବେ ପିଲାଟି ବାପା ମାଙ୍କ ଠାରୁ କେମିତି ଦୂରେଇଲା ଭାବୁଛନ୍ତି କି ?
ପ୍ରାୟ ୪/୫ ମାସ ପୂର୍ବର କଥା । ୨୦୨୧ ମସିହା ଅଗଷ୍ଟ ୧୬ ତାରିଖରେ ନୁରୁଲହକ ହାଦି ନିଜ ପରିବାର ସହ କାବୁଲ ଏୟାରପୋର୍ଟରେ ପହଞ୍ଚିଥିଲେ। ସେହି ସମୟରେ ଆମେରିକା ସୈନ୍ୟ ନିଜ ଦେଶକୁ ଫେରି ଯାଉଥିବା ବେଳେ ତାଲିବାନ ଆଫଗାନକୁ କବଳିତ କରିବାକୁ ପାଦ ଆଗଉଥିଲା। ଏପରି ସ୍ଥିତିରେ ପରିବାର ସହ ସୁରକ୍ଷିତ ଭାବେ ନିଜ ଦେଶ ଛାଡ଼ିବାକୁ ହଜାର ହଜାର ଲୋକ ଏୟାରପୋର୍ଟରେ ଅପେକ୍ଷା କରୁଥିବା ବେଳେ ନୁରୁଲହକ ମଧ୍ୟ ଲାଇନ୍ରେ ଥିଲେ।
ନୁରୁଲହକଙ୍କ ପତ୍ନୀ ଗେଟ୍ ପ୍ରବେଶ କରି ସାରିଥିବା ବେଳେ ପୁଅ ହଞ୍ଜାଲା ସହ ବାହାରେ ରହି ଯାଇଥିଲେ ନୁରୁଲହକ । ଉକ୍ତ ସମୟରେ ତାଲିବାନୀ ସୈନ୍ୟ ସେଠାରେ ପହଞ୍ଚି ଗୁଳି ବର୍ଷ କରିବା ଆରମ୍ଭ କରିଦେଇଥିଲେ। ଏପରି ସମୟରେ ପୁଅ ଜୀବନ ବଞ୍ଚାଇବାକୁ ନୁରୁଲହକ ପୁଅକୁ ନିଜ ଭାଇ ହାତକୁ ଟେକି ଦେଇଥିଲେ। ଏହାପରେ ନୁରୁଲହକ ଏୟାରପୋର୍ଟରେ ପଶି ଯାଇଥିଲେ ମଧ୍ୟ ତାଙ୍କ ପୁଅ ବାହାରେ ରହିଗଲା। ଏନେଇ ଏୟାରପୋର୍ଟ ଅଧିକାରୀଙ୍କୁ ଗୁହାରୀ କଲେବି ଆଉ କିଛି ହୋଇପାରିବନି ବୋଲି ଶୁଣାଇ ଦେଲେ। ଏହାପରେ ସେ ଦେଶ ଛାଡ଼ି ଦେଇଥିବା ବେଳେ ପୁଅ କିନ୍ତୁ ଆଫଗାନିସ୍ତାନରେ ଭାଇ ପାଖରେ ଦୀର୍ଘ ୪ ମାସ ହେବ ରହିଯାଇଛି।
ଏବେ ଆଫଗାନରୁ ଆମେରିକା ଯାଉଥିବା ସମସ୍ତଙ୍କ ନିମନ୍ତେ ପାସପୋର୍ଟ ରଖିବା ଆଇନ୍କୁ କଡ଼ାକଡ଼ି କରାଯାଇଛି। ଏପରି ସ୍ଥିତିରେ ହଞ୍ଜାଲାକୁ ନିଜ ପାଖକୁ ନେବାକୁ ବହୁ ବାଧାବିଘ୍ନର ସମ୍ମୁଖୀନ ହେଉଥିବା ତାଙ୍କ ବାପା ବାଇଡେନ ସରକାରଙ୍କ ନିକଟରେ ଗୁହାରୀ ଜଣାଇଛନ୍ତି। ହେଲେ ତାଲିବାନ କ୍ଷମତାକୁ ଆସିବା ପରଠୁ ପାସପୋର୍ଟ ହାସଲ କରିବା କଷ୍ଟକର ହୋଇପଡ଼ୁଛି। ନିଜ ବାପା ମାଙ୍କ ପାଖକୁ ଯିବାକୁ ପିଲାଟି କାନ୍ଦୁଥିବା ବେଳେ ବାପାମା’ ବି ଥୟ ଧରି ପାରୁ ନାହାନ୍ତି। ଏପରି ସ୍ଥିତିରେ ପୁଅକୁ ଫେରି ପାଇବାକୁ ଆମେରିକା ସରକାରଙ୍କ ନିକଟରେ ଶିଶୁଟିର ପିତାମାତା ଆକୁଳ ନିବେଦନ କରୁଛନ୍ତି।
Powered by Froala Editor