କୋଭିଡ ମୁକାବିଲା ପାଇଁ ୫ ଜିଲ୍ଲା ଦାୟିତ୍ୱରେ ୧୭ ଓଏଏସ
ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ୁଛି । ସ୍ଥିତି ଅସମ୍ଭାଳ ଆଡକୁ ଗଲାଣି । ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ବଢ଼ୁଥିବା ୫ ଜିଲ୍ଲା ପାଇଁ ସରକାର ୧୭ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ)ଙ୍କୁ ଦାୟିତ୍ୱ ଦେଇଛନ୍ତି । ଏମାନେ ଜିଲ୍ଲା ପ୍ରଶାସନ ଅଧୀନରେ କୋଭିଡ ମୁକାବିଲା ପାଇଁ କାମ କରିବେ । ନୂଆପଡା ଜିଲ୍ଲା ଦାୟିତ୍ୱରେ ୫ ଓଏଏସ ଅଛନ୍ତି । ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟା ଲଘୁ ବିକାଶ ବିଭାଗ ଏମଡି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ ପ୍ରଧାନ, ଯୋଜନା ଓ ସଂଯୋଜନା ବିଭାଗ ଅତିରିକ୍ତ ସଚିବ ଡ.ଚିତ୍ରସେନ ପଶାୟତ, କେବିକେର ଯୁଗ୍ମ ପ୍ରଶାସକ ନୃପରାଜ ସାହୁ, ରାୟଗଡ଼ା ଓଏମସିର ଆଞ୍ଚଳିକ ପ୍ରବନ୍ଧକ ହେମନ୍ତ କୁମାର ସିଂ ଓ କୋଟପାଡ ତହସିଲଦାର ଭକ୍ତବନ୍ଧୁ ଜନାର୍ଦ୍ଧନ ନୂଆପଡ଼ା ଜିଲ୍ଲାରେ କାମ କରିବେ । ବଲାଙ୍ଗୀର ଜିଲ୍ଲା କୋଭିଡ ପରିଚାଳନା ଦାୟିତ୍ୱରେ ମହିଳା ଓ ଶିଶୁ ବିକାଶ ଯୁଗ୍ମ ସଚିବ ରଶ୍ମିରଞ୍ଜନ ନାୟକ, ଅନୁସୂଚିତ ଜାତି, ଜନଜାତି ବିଭାଗ ଉପସଚିବ ଡ.ଶ୍ୱେତକୁମାର ଦାସ ନିୟୋଜିତ ହେବେ । ପଞ୍ଚାୟତି ରାଜ ବିଭାଗ ଅତିରିକ୍ତ ସଚିବ ମହେଶ୍ୱର ପାଣିଗ୍ରାହୀ ଓ କେନ୍ଦ୍ରାପଡାର ଅତରିକ୍ତ ପିଡି ଡିଆରଡିଏ ମନ୍ଦରଧର ମହାଲିକ ଓ ସର୍ଭେ ଆଣ୍ଡ ମ୍ୟାପ ପବ୍ଲିକେସନ ଯୁଗ୍ମ ନିଦେ୍ର୍ଧଶକ ଶୁଭାଶିଷ ମାନସିଂହଙ୍କୁ ବରଗଡ଼ ଜିଲ୍ଲା ପାଇଁ ଦାୟିତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ବିଶିକେଶନ ଦେହୁରୀ, ଅନୁଗୁଳ ଉପଜିଲ୍ଲାପାଳ ବାଇତୁରା ଦୀପ ସମ୍ବଲପୁର ଜିଲ୍ଲା ପ୍ରଶାସନ ଅଧୀନରେ କୋଭିଡ ପରିଚାଳନା ଦାୟିତ୍ୱ ତୁଲାଇବେ ।
Powered by Froala Editor