ନିଦ ଉଡାଇଲାଣି ଓମିକ୍ରନ ଭାରିଆଣ୍ଟ, ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିଦ ଉଡାଇଲାଣି ଓମିକ୍ରନ ଭାରିଆଣ୍ଟ । ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ୨୦ ଦିନରେ ୧୫ ରଜ୍ୟକୁ ବ୍ୟାପିଲାଣି ଏହି ଭାରିଆଣ୍ଟ । ଦେଶରେ ଦୁଇଶହ ପାର କଲାଣି ସଂକ୍ରମିତଙ୍କ ସଂଖ୍ୟା । ଏନେଇ ଗୁରୁବାର ଏକ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଆଲର୍ଟ ରହିବାକୁ କହିଥିଲେ । ଓମିକ୍ରନ ଭାରିଆଣ୍ଟ ଡେଲଟା ଭାରିଏଣ୍ଟଠୁ ତିନିଗୁଣା ସଂକ୍ରାମକ ବୋଲି କହିଥିଲେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ନିଜକୁ ସୁରକ୍ଷିତ ରଖିବାକୁ ୨ଟି ଜିନିଷ ଉପରେ ଗୁରୁତ୍ବ ଦେବାକୁ ପଡିବ ପ୍ରଥମ ଟୀକାକରଣ ଦ୍ବିତୀୟ କୋରୋନା ନିୟମ ମାନିବାକୁ ପଡିବ ବୋଲି କହିଥିଲେ ଏମ୍ସ ନିର୍ଦ୍ଦେଶକ ।ପୂର୍ବରୁ ଦେଶରେ କୋରୋନା ସ୍ଥିତି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକ କରିଛନ୍ତି । ନଭେମ୍ବରରେ ଶେଷ ସମୀକ୍ଷା ବୈଠକ ହୋଇଥିଲା । ନଭେମ୍ବର ୨୫ରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଏହି ଓମିକ୍ରନକୁ ନେଇ ଅନ୍ତର୍ଜାତୀୟ ଯାତ୍ରାକୁ ହ୍ରାସ କରିବାକୁ ସମୀକ୍ଷା ବୈଠକରେ ଅଧିକାରୀମାନଙ୍କୁ କହିଥିଲେ ମୋଦି ଏହା ସହ ନୂଆ ଭାରିଏଣ୍ଟକୁ ନେଇ ପ୍ରୋ ଆକ୍ଟିଭ ରହିବାକୁ ଅଧିକାରୀମାନଙ୍କୁ କହିଥିଲେ ।ସଂସଦ ଶୀତ ଅଧିବେଶନରେ ଯୋଗ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ସରକାରଙ୍କ ପ୍ରାଥମିକତା ହେଉଛି ଦେଶବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚିକିତ୍ସା ପ୍ରଦାନ । ଏହି ଯୋଜନାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାର ସମୟସୀମା ୨୦୨୨ ମାର୍ଚ୍ଚକୁ ବୃଦ୍ଧି କରାଯାଇଛି । ଆଗକୁ ନୂଆବର୍ଷ ଏବଂ ଖ୍ରୀଷ୍ଟମାସ ଥିବାବେଳେ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ।
Powered by Froala Editor