ରାଜ୍ୟରେ ୧୭୫ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ଵର: ଓଡ଼ିଶାକୁ ସାମୟିକ ଆଶ୍ୱସ୍ତି ମିଳିଛି । ଆକ୍ଟିଭ କେସ୍ ମଧ୍ୟ ୨ ହଜାର ତଳକୁ ଖସି ଆସିଛି। ରାଜ୍ୟରେ ୨୪ ଘଣ୍ଟାରେ ୧୭୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୩୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୦୧ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୭୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୧୯୨୭ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ରାଜ୍ୟ ୧୭ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୮୨ ଜଣ, ମୟୂରଭଞ୍ଜ ଓ କଟକ ଜିଲ୍ଲାରୁ ୧୨ ଜଣ ଲେଖାଁଏ, ସୁନ୍ଦରଗଡ଼ରୁ ୧୧ ଜଣ, କେନ୍ଦ୍ରାପଡ଼ାରୁ ୭ ଜଣ, ପୁରୀରୁ ୬ ଜଣ, ଯାଜପୁରରୁ ୫ ଜଣ, ନୟାଗଡ଼, ସମ୍ବଲପୁର, ସୋନପୁର ଜିଲ୍ଲାରୁ ୪ ଜଣ ଲେଖାଁଏ, ବାଲେଶ୍ବର, ଭଦ୍ରକ, ଦେବଗଡ଼, ଢ଼େଙ୍କାନାଳ, ଜଗତସିଂହପୁର ଓ ରାୟଗଡ଼ା ଜିଲ୍ଳାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୋଲ୍ରୁ ୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୧୯୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୯୦୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୧୫୩୬ ଜଣ ସୁସ୍ଥ ହୋଇଛନ୍ତି ।
Powered by Froala Editor