୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର
ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ତେଜୁଥିବାବେଳେ ଅଶୋଧିତ ତୈଳ ଦର ଉପରେ ଏହାର ପ୍ରଭାବ ପଡ଼ିଛି । ବୁଧବାର ୧୦୦ ଡଲାର ପାର୍ କରିଯାଇଛି ବ୍ରେଣ୍ଟ୍ କ୍ରୁଡ୍ । ବ୍ୟାରେଲ ପିଛା ଏହା ୧୦୧.୧ ଡଲାର ଛୁଇଁଛି । ସେହିଭଳି ଡବ୍ଲ୍ୟୁଟିଆଇ କ୍ରୁଡ୍ ୯୬.୨୪ ଡଲାର ହୋଇଛି । ବର୍ଦ୍ଧିତ ଦର ଯୋଗୁ ଘରୋଇ ବଜାରରେ ଇନ୍ଧନ ଦର ଅପରିବର୍ତ୍ତିତ ଥିବାରୁ ଭାରତୀୟ ତୈଳ ରିଟେଲରମାନେ ଲିଟର ପିଛା ପେଟ୍ରୋଲରେ ୫ ଟଙ୍କା ଏବଂ ଡିଜେଲରେ ୨୩ ଟଙ୍କାର କ୍ଷତି ସହୁଛନ୍ତି ।
ବଶିଷ୍ଟଙ୍କ କହିବାନୁସାରେ, ଭୂ-ରାଜନୈତିକ ସମସ୍ୟା ଅଧିକ ବିକୃତ ହେଲେ ଅଶୋଧିତ ତୈଳ ଦର ଆହୁରି ବଢ଼ିବ । ତୈଳ ଉପରେ ନିର୍ଭରଶୀଳ କ୍ଷେତ୍ର ଯେପରି ବିମାନ ଚଳାଚଳ, ପେଣ୍ଟ୍, ଟାୟାର, କେମିକାଲ, ଲଜିଷ୍ଟିକ୍ସ ଏବଂ ଏଫ୍ଏମ୍ସିଜି କ୍ଷେତ୍ରର ଲାଭ ସଂକୁଚିତ ହେବ । ଅନ୍ୟପକ୍ଷରେ, ଆର୍ବିଆଇ ପକ୍ଷରୁ ସୁଧ ହାର ହ୍ରାସ ସମ୍ଭାବନା କ୍ଷୀଣ ହୋଇଯିବ । ଆଗାମୀ ସମୀକ୍ଷା ବୈଠକରେ ସର୍ବୋଚ୍ଚ ବ୍ୟାଙ୍କ ସୁଧ ହାରକୁ ଅପରିବର୍ତ୍ତିତ ରଖିପାରେ ।
ଇକ୍ରା ଲିମିଟେଡ ବରିଷ୍ଠ ଉପସଭାପତି ଏବଂ କୋ-ଗ୍ରୁପ୍ ହେଡ୍(କର୍ପୋରେଟ ରେଟିଙ୍ଗ୍ସ) ପ୍ରଶାନ୍ତ ବଶିଷ୍ଟ କହିଛନ୍ତି, ଇରାନ ଏବଂ ଆମେରିକା ମଧ୍ୟରେ ଅଶାନ୍ତି ବଢ଼ିବା ଫଳରେ ବ୍ରେଣ୍ଟ୍ କ୍ରୁଡ୍ ୧୦୦ ଡଲାର ଉପରକୁ ଚାଲିଯାଇଛି । ଭାରତୀୟ ବାସ୍କେଟ୍ ରେ ଏହା ପାଖାପାଖି ୧୦୯ ଡଲାରକୁ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ଭାରତୀୟ ତୈଳ ବିପଣନ କମ୍ପାନିଗୁଡ଼ିକ ଲିଟର ପିଛା ପେଟ୍ରୋଲ ବିକ୍ରିରେ ୫ ଟଙ୍କା, ଡିଜେଲ ବିକ୍ରିରେ ୨୩ ଟଙ୍କା ଏବଂ ସିଲିଣ୍ଡର ପିଛା ଘରୋଇ ଏଲ୍ପିଜି ବିକ୍ରିରେ ୨୦୦ ଟଙ୍କା କ୍ଷତି ସହୁଛନ୍ତି।
Powered by Froala Editor