ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ତେଜୁଥିବାବେଳେ ଏହାର ପ୍ରଭାବ ଅଶୋଧିତ ତୈଳ ଦର ଉପରେ ପଡ଼ିଛି । ବୁଧବାର ୧୦୦ ଡଲାର ପାର୍ କରିଯାଇଛି ବ୍ରେଣ୍ଟ୍ କ୍ରୁଡ୍ । ବ୍ୟାରେଲ ପିଛା ଏହା ୧୦୧.୧ ଡଲାର ଛୁଇଁଛି । ସେହିଭଳି ଡବ୍ଲ୍ୟୁଟିଆଇ କ୍ରୁଡ୍ ୯୬.୨୪ ଡଲାର ହୋଇଛି । ବର୍ଦ୍ଧିତ ଦର ଯୋଗୁ ଘରୋଇ ତୈଳ କମ୍ପାନିଗୁଡ଼ିକ ଏବେ ଚାପରେ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ସତ୍ୱେ ଘରୋଇ ବଜାରରେ ଇନ୍ଧନ ଦର ଅପରିବର୍ତ୍ତିତ ଥିବାରୁ ଭାରତୀୟ ତୈଳ ରିଟେଲରମାନେ ଲିଟର ପିଛା ପେଟ୍ରୋଲରେ ୫ ଟଙ୍କା ଏବଂ ଡିଜେଲରେ ୨୩ ଟଙ୍କାର କ୍ଷତି ସହୁଛନ୍ତି । ତୈଳ ଦର ବୃଦ୍ଧି ଯୋଗୁ ଦେଶର ଆମଦାନି ବିଲ୍ ବଢ଼ିବା ସହ ଦରଦାମ ସ୍ଥିତି ଉତ୍କଟ ହେବ ବୋଲି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ । ଇକ୍ରା ଲିମିଟେଡ୍ର ବରିଷ୍ଠ ଉପସଭାପତି ଏବଂ କୋ-ଗ୍ରୁପ୍ ହେଡ୍(କର୍ପୋରେଟ ରେଟିଙ୍ଗ୍ସ) ପ୍ରଶାନ୍ତ ବଶିଷ୍ଟ କହିଛନ୍ତି, ଇରାନ ଏବଂ ଆମେରିକା ମଧ୍ୟରେ ଅଶାନ୍ତି ବଢ଼ିବା ଫଳରେ ବ୍ରେଣ୍ଟ୍ କ୍ରୁଡ୍ ୧୦୦ ଡଲାର ଉପରକୁ ଚାଲିଯାଇଛି । ଭାରତୀୟ ବାସ୍କେଟ୍ରେ ଏହା ପାଖାପାଖି ୧୦୯ ଡଲାରକୁ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ଭାରତୀୟ ତୈଳ ବିପଣନ କମ୍ପାନିଗୁଡ଼ିକ ଲିଟର ପିଛା ପେଟ୍ରୋଲ ବିକ୍ରିରେ ୫ ଟଙ୍କା, ଡିଜେଲ ବିକ୍ରିରେ ୨୩ ଟଙ୍କା ଏବଂ ସିଲିଣ୍ଡର ପିଛା ଘରୋଇ ଏଲ୍ପିଜି ବିକ୍ରିରେ ୨୦୦ ଟଙ୍କା କ୍ଷତି ସହୁଛନ୍ତି ।
ବିଶ୍ୱର ତୃତୀୟ ବୃହତ୍ ତୈଳ ଆମଦାନିକାରୀ ଭାରତ ଏହାର ତୈଳ ଆବଶ୍ୟକତାର ୮୮%ରୁ ଅଧିକ ଆମଦାନି କରିଥାଏ । ଏଣୁ ଅଶୋଧିତ ତୈଳ ଦର ବୃଦ୍ଧିର ସବୁଠାରୁ ଅଧିକ ପ୍ରଭାବ ଭାରତ ଅନୁଭବ କରିବ । ଚଳିତବର୍ଷ ଏପ୍ରିଲ-ଜୁଲାଇରେ ଦେଶର ତୈଳ ଆମଦାନି ବିଲ୍ ୫୬%ରୁ ଅଧିକ ବଢ଼ି ୬୩.୪ ବିଲିୟନ ଡଲାରରେ ପହଞ୍ଚିଛି, ଯାହାକି ପୂର୍ବ ବର୍ଷ ସମାନ ସମୟରେ ୪୦.୫ ବିଲିୟନ ଡଲାର ଥିଲା । କିନ୍ତୁ ଆମଦାନି ହୋଇଥିବା ତୈଳ ପରିମାଣ ୮୧ ନିୟୁତ ଟନ୍ରେ ସମାନ ରହିଛି । ବଶିଷ୍ଟଙ୍କ କହିବାନୁସାରେ, ଭୂ-ରାଜନୈତିକ ସମସ୍ୟା ଅଧିକ ବିକୃତ ହେଲେ ଅଶୋଧିତ ତୈଳ ଦର ଆହୁରି ବଢ଼ିବ ।
Powered by Froala Editor