କଟକବାସୀଙ୍କୁ ନବୀନଙ୍କ ୧୫୬୭ କୋଟିର ଭେଟି

କଟକ: ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ସାମିଲ ହେଲା ସିଲଭର ସିଟି । କଟକରେ ଲେଖା ହେଲା ସେବା ଆଉ ବିକାଶର ନୂଆ କାହାଣୀ । ଜିଲ୍ଲାବାସୀଙ୍କୁ ବିକାଶର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏସକେୱାଇ ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଜିଲ୍ଲାର ୧୮ ଲକ୍ଷ ଲୋକ ଉପକୃତ ହେବେ । କଟକ ଜିଲ୍ଲାରେ ଆରମ୍ଭ ହେଲା ସ୍ମାର୍ଟ ସ୍ବାସ୍ଥ୍ୟ ସେବାର ସ୍ମାର୍ଟ ସେବା । ଯୋଜନାର ଶୁଭାରମ୍ଭ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୧୧ଟାରେ କଟକରେ ପହଞ୍ଚି ଯୋଗ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । କାର୍ଡ ଗରିବଙ୍କ ଦୁଃଖ ଦୂର କରିବ ।
ଏହି କାର୍ଡ ଜରିଆରେ ୯୬ ଲକ୍ଷ ପରିବାର ଉପକୃତ ହେବେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସଚେତନତା ରଥର ଶୁଭାରମ୍ଭ ହୋଇଛି ।
ସବୁକ୍ଷେତ୍ରରେ କଟକର ସ୍ୱତନ୍ତ୍ରତା ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବାକୁ କାମ ଚାଲିଛି । ଖୁବଶୀଘ୍ର ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲଷ୍ଟୋନ୍ ହେବ ଏସସିବି । କଟକବାସୀଙ୍କ ପ୍ରିୟ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ଲାଇବ୍ରେରୀକୁ ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ସ୍ଥାପନ କରାଯିବ । ଏହାକୁ ଷ୍ଟେଟ ଅଫ ଦ୍ ଆର୍ଟ ଲାଇବ୍ରେରୀର ମାନ୍ୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।କଟକବାସୀଙ୍କୁ ୧୫୬୭ କୋଟିର ଶତାଧିକ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପାନୀୟ ଜଳଯୋଗାଣ, ସହରାଞ୍ଚଳର ବିକାଶ ସହିତ ଜଳସମ୍ପଦ ଓ ମହିଳା ଶିଶୁ ବିକାଶ ପାଇଁ ଅନେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Powered by Froala Editor