ୱେବସିରିଜ ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ ପୋଷ୍ଟରକୁ ନେଇ ବିବାଦ

‘କଞ୍ଚାଲଙ୍କା’ ଓଟିଟି ପ୍ଲାଟଫର୍ମକୁ ନେଇ ବିବାଦ ବଢିଛି । ୱେବସିରିଜ ଗ୍ୟାଙ୍ଗସ୍ ଅଫ୍ ପୁରୀର ପୋଷ୍ଟରକୁ ନେଇ ବିବାଦ ବଢିବାରୁ ପୋଷ୍ଟର ବଦଳାଇ ଦିଆଯାଇଥିବା ସୂଚନା ମିଳିଛି ।
ଗ୍ୟାଙ୍ଗସ ଅଫ୍ ପୁରୀର ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆପତି ଜାହିର କରିଛି ପୁରୀ ଜିଲ୍ଲା ଅଧିବକ୍ତା ସଂଘ । ପୋଷ୍ଟରରେ ଶ୍ରୀମନ୍ଦିର ଉପରେ ଖଣ୍ଡା ଝୁଲୁଥିବାରୁ ଏହା ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି । ଏହି ୱେବ ସିରିଜ ପୁରୀର ଯୁବପୀଢିଙ୍କୁ ଅପରାଧିକ କାର୍ଯ୍ୟକଳାପ ପାଇଁ ପ୍ରବର୍ତ୍ତାଉ ଥିବା ଅଭିଯୋଗ ଆଣି ପୁରୀ ଏସପିଙ୍କୁ ଭେଟି କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜିଲ୍ଲା ଅଧିବକ୍ତା ସଂଘ। ଏହାପରେ ବଦଳିଛି ୱେବସିରିଜର ପୋଷ୍ଟର । କଞ୍ଚାଲଙ୍କା ପ୍ରଡକସନ ପକ୍ଷରୁ ପୋଷ୍ଟରରୁ ଶ୍ରୀମନ୍ଦିରକୁ ହଟାଇ ଦିଆଯାଇଛି । କଞ୍ଚାଲଙ୍କା ପ୍ରଡକସନର ପ୍ରତିଷ୍ଠାତା ଅକ୍ଷୟ ପରିଜା କହିଛନ୍ତି, ସମ୍ପୂର୍ଣ୍ଣ କାଳ୍ପନିକ କାହାଣୀକୁ ନେଇ ଗ୍ୟାଙ୍ଗସ ଅଫ ପୁରୀ ସିରିଜ ପ୍ରସ୍ତୁତ ହୋଇଛି । ଧାର୍ମିକ ଭାବନା ସହ ଏହା କୌଣସି ମତେ ଜଡିତ ନୁହେଁ ।
Powered by Froala Editor