ମିହିର ଦାସ ଅସୁସ୍ଥ, କଟକରେ ଚାଲିଛି ଚିକିତ୍ସା
ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ସେ କଟକର ଅଶ୍ବିନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ ୭ ତାରିଖରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ପୂର୍ବରୁ ମିହିର ଦାସଙ୍କ କିଡନୀ ଜନିତ ସମସ୍ୟା ଥିଲା। ଅଶ୍ବିନୀ ହସପିଟାଲର ଭେଣ୍ଟିଲେଟରରେ ଅଛନ୍ତି ମିହିର ଦାସ। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ଅଶ୍ବିନୀ ହସପିଟାଲର ଡାକ୍ତରୀ ଟିମ୍ ନଜର ରଖିଛନ୍ତି।
ଭେଟ୍ରାନ୍ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ। ସେ ପ୍ରଥମେ ଆର୍ଟ ଫିଲ୍ମ ‘ସ୍କୁଲ୍ ମାଷ୍ଟର’ରେ ଅଭିନୟ କରିଥିଲେ। ତା’ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ବ୍ୟବସାୟିକ ଫିଲ୍ମରେ ଅଭିନୟ କରି ଓଲିଉଡ୍ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ମିହିର ଦାସଙ୍କ ପ୍ରଥମ ବ୍ୟବସାୟିକ ଫିଲ୍ମ ‘ମଥୁରା ବିଜୟ’ ୧୯୭୯ ମସିହାରେ ରିଲିଜ ହୋଇଥିଲା। ‘ଲକ୍ଷ୍ମୀ ପ୍ରତିମା’ ପାଇଁ ୧୯୯୮ ଓ ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ୨୦୦୨ରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଓ ୨୦୧୦ରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି।
ପ୍ରାୟ ୨୦୦ରୁ ଊର୍ଧ୍ୱ ଚଳଚ୍ଚିତ୍ରରେ ନଜର ଆସିଥିବା ମିହିରଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ପୁଅ ମୋର ଭୋଳା ଶଙ୍କର’, ‘ସ୍ତ୍ରୀ’, ‘ବାଜି’, ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ‘ଅଭିମନ୍ୟୁ’ ‘ଶାଶୂ ହାତକଡ଼ି ଭାଉଜ ବେଡ଼ି’, ‘ଫେରିଆ ମୋ ସୁନା ଭଉଣୀ’, ‘ମିଷ୍ଟର୍ ମଜୁନୁ’ ଓ ‘ଅଗସ୍ତ୍ୟ’ ଇତ୍ୟାଦି ରହିଛି।
Powered by Froala Editor