ସେନା ହେଲିକପ୍ଟର କ୍ରାସ୍ ଘଟଣା, ସହିଦଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ
ଭୁବନେଶ୍ୱର: ତାମିଲନାଡୁରେ ସେନା ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ୍ ରାୱତଙ୍କ ସହ ୧୩ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ଭିତରେ ଅଛନ୍ତି ଜଣେ ଓଡ଼ିଆ ଯବାନ। ସହିଦ ଯବାନ ହେଉଛନ୍ତି ଅନୁଗୁଳ ତାଳଚେରର ରାଣା ପ୍ରତାପ ଦାସ।
ସୂଚନା ଅନୁସାରେ ସେ ବାୟୁସେନାର ଜୁନିୟର ୱାରେଣ୍ଟ ଅଫିସର ଭାବେ କାର୍ୟ୍ୟରତ ଥିଲେ। ତାଙ୍କ ବିୟୋଗରେ ପରିବାର ଓ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଗତକାଲି କନ୍ନୁରରେ ବାୟୁ ସେନାର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ପରଲୋକ ହୋଇଥିଲା । ଗତକାଲି ମଧ୍ୟାହ୍ନରେ ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ୯ ଜଣ ସଦସ୍ୟ ଓ ୪ ଜଣ କ୍ରିଉ ମେମ୍ବର ୱେଲିଂଟନ୍ ଯାଉଥିବା ବେଳେ ହେଲିକପ୍ଟରଟି କ୍ରାସ୍ ହୋଇ ଯାଇଥିଲା । ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବାୟୁ ସେନା ଟ୍ୱିଟ୍ କରି ସୂଚନା ଦେଇଥିଲା।
ତେବେ ଏହି ହେଲିକପ୍ଟରରେ ଚିଫ୍ ଡିଫେନ୍ସ ଷ୍ଟାଫ ବିପିନ୍ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତ, ବ୍ରିଗେଡିଅର ଏଲଏସ ଲିଦର, ଲେପ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂ, ନାୟକ ଗୁରୁସେବକ ସିଂହ, ନାୟକ ଜିତେନ୍ଦ୍ର କୁମାର, ଲାନ୍ସ ନାୟକ ବିବେକ କୁମାର, ଲାନ୍ସ ନାୟକ ବି. ସାଇତେଜା ଏବଂ ହାବିଲଦାର ସତପାଲ ଥିଲେ । ଏମାନଙ୍କ ବ୍ୟତୀତ ଦୁଇ ଜଣ ପାଇଲଟ ଏବଂ ହେଲିକପ୍ଟରର ଟେକ୍ନିକାଲ ଷ୍ଟାଫ୍ ଉପସ୍ଥିତ ଥିଲେ।
Powered by Froala Editor