ବିଧାନସଭାରେ ଫଟୋ ୱାର

ଭୁବନେଶ୍ୱର:ସାରା ରାଜ୍ୟରେ ଏବେ ମମିତା ନିଆଁ ହୁତୁ ହୁତୁ ହୋଇ ଜଳୁଛି । ମମିତା ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ବିରୋଧୀ ଦାବି କରିଆସୁଛନ୍ତି । ଏହା ସତ୍ତ୍ୱେ ବି ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରୁନାହାନ୍ତି । ଯାହାକୁ ନେଇ ବିରୋଧୀ ସଦସ୍ୟ ବିଧାନସଭା ଆରମ୍ଭ ଦିନଠାରୁ ଗୃହରେ ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି । ଫଳରେ ଗୃହ କାର୍ଯ୍ୟ ଚାଲିପାରୁନାହିଁ ।
ଆଜି ବିଧାନସଭା ଶୀତ ଅଧିବେଶନର ସପ୍ତମ ଦିନ । ତେବେ ଆଜି ବି ବିଧାନସଭା ଆରମ୍ଭରୁ ଚାଲିପାରିଲାନି । ଆଜି ବିଧାନସଭା ଆରମ୍ଭ ହେଉ ହେଉ ମମିତା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲଙ୍କୁ ନେଇ ବିଜେଡି- ବିଜେପି ମୁହାଁମୁହିଁ ହୋଇଛନ୍ତି । ଗୋବିନ୍ଦଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିବା ଏକ ଫଟୋ ଦେଖାଇ ବିଜେପି ସଦସ୍ୟମାନେ ହୋହାଲ୍ଲା କରିଥିଲେ । ବିଜେଡି ସଦସ୍ୟମାନେ ମଧ୍ୟ ଗୋବିନ୍ଦଙ୍କ ଓକିଲ ସହ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିବା ଫଟୋ ଦେଖାଇ ନାରବାଜି କରିଥିଲେ । ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଦିବ୍ୟଶଙ୍କରଙ୍କୁ ବହିଷ୍କାର ନକରିବା ଯାଏଁ ବିରୋଧ ଜାରି ରହିବ ବୋଲି ବିରୋଧୀ କହିଛନ୍ତି ।
ଅନ୍ୟପକ୍ଷରେ ବିଜେପିର ଦୋମୁହାଁ ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଜୁ ଜନତା ଦଳ । ବିଧାନସଭା ପରିସରସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ । ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ବର୍ତ୍ତମାନ ବିଜେପିର ସତ ଲୋକଙ୍କ ନଜରକୁ ଆସୁଛି । ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ମମିତା ପ୍ରସଂଗରେ ରାଜନୀତି କରୁଛି । ଆଗାମୀ ନିର୍ବାଚନରେ ଜନସାଧାରଣ ବିଜେପିକୁ ଉଚିତ୍ ଜବାବ ଦେବେ ।
Powered by Froala Editor