ପୁତୁରାର ଠେଙ୍ଗାମାଡ଼ରେ ଚାଲିଗଲା ଦାଦାଙ୍କ ଜୀବନ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମଲାରପଦା ଗ୍ରାମରେ ପୁତୁରାର ଠେଙ୍ଗାମାଡ଼ରେ ଦାଦାଙ୍କ ମୃତୁ୍ୟ ଘଟିଛି । ମୃତକ ଜଣଙ୍କ ହେଲେ ସେହି ଗ୍ରାମର ବନମାଳୀ ମହାନ୍ତ (୭୬) । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପୁତୁରା ଆନନ୍ଦ ମହାନ୍ତକୁ ଅଟକ ରଖିଛି । ପ୍ରାପ୍ତ ସୂଚନା ଅନୁସାରେ, ୨୮ ତାରିଖରେ ବାଡ଼ିରେ ଛେଳି ପଶିଯିବାରୁ ଦାଦା-ପୁତୁରାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
ଏଥିରେ ଉତ୍ତ୍ୟକ୍ତ ହୋଇ ଆନନ୍ଦ ଏକ ବାଉଁଶବାଡ଼ିରେ ଦାଦା ବନମାଳୀଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବନମାଳୀଙ୍କ ମୃତୁ୍ୟ ଘଟିଛି । ଏନେଇ ତୁରୁମୁଙ୍ଗା ଥାନାରେ କେସ ନମ୍ବର ୧୩୯/୨୧ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ପୁଲିସ ଅଭିଯୁକ୍ତ ଆନନ୍ଦକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଆଜି ତାକୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ମଦନ ମୋହନ ନାଏକ ପ୍ରକାଶ କରିଛନ୍ତି ।
Powered by Froala Editor