ବାତ୍ୟାରେ ଫସଲ ନଷ୍ଟ, କୀଟନାଶକ ପିଇ ଜୀବନ ହାରିଲେ ଚାଷୀ

ଗଞ୍ଜାମ: ବାତ୍ୟାରେ ଫସଲ ନଷ୍ଟ ହୋଇଯିବାରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତୁରୁବୁଡି ପଞ୍ଚାୟତର ଉଲୁମ ଗାଁରେ । ମୃତ ଚାଷୀଙ୍କ ନାଁ କୈଳାସ ଶବର ।
ପରିବାର ଲୋକଙ୍କ କହିବା ଅନୁଯାୟୀ, କୈଳାସ ୨ ଏକର ଜମିକୁ ଭାଗରେ ନେଇ ଧାର କରଜ କରି ଚାଷ କରୁଥିଲେ । ଗତକାଲି ସକାଳେ ସେ ତାଙ୍କ ଫସଲ ଦେଖିବାକୁ ଯାଇଥିଲେ । ତେବେ ବାତ୍ୟା ‘ଜୱାଦ’ ପ୍ରଭାବରେ ହୋଇଥିବା ବର୍ଷାରେ ତାଙ୍କ ଫସଲ ସବୁ ନଷ୍ଟ ହୋଇ ଯାଇଥିଲା । ଫସଲ କ୍ଷୟକ୍ଷତି ଦେଖି ସେ ସହି ପାରି ନଥିଲେ । ଏଣୁ କୀଟନାଶକ ଔଷଧ ଖାଇଦେଇଥିଲେ ।
କୈଳାସଙ୍କୁ ଗୁରୁତର ଅବସ୍ଥାରେ ପାତ୍ରପୁର ଡାକ୍ତରଖାନା ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ ବ୍ରହ୍ମପୁର ପଠାଯାଇଥିଲା । ଅନ୍ୟପକ୍ଷରେ ଏହି ଘଟଣା ନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ସୂଚନାଯୋଗ୍ୟ, ବାତ୍ୟା ‘ଜୱାଦ’ ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇଥିଲେ ବି ଏହାର ପ୍ରଭାବରେ ଗଞ୍ଜାମରୁ ଆରମ୍ଭ କରି କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା ।
Powered by Froala Editor