ଟଳିଛି ବାତ୍ୟା, ରାଜ୍ୟରେ ବଢିବ ଶୀତ

ଭୁବନେଶ୍ୱର: ଓଡିଶାରୁ ଟଳିଛି ବାତ୍ୟା ଜୱାଦ । ସମୁଦ୍ର ଭିତରେ ଦୁର୍ବଳ ହୋଇ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହୋଇ ପଶ୍ଚିମବଙ୍ଗ ଆଡକୁ ଚାଲି ଯାଇଛି ବାତ୍ୟାା ଜୱାଦ । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଆଜି ମଧ୍ୟ ପାଗ ମେଘୁଆ ରହିବ । ଉତର ଓ ଉପକୂଳ ଓଡିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଆସନ୍ତାକାଲି ଠାରୁ ପାଗ ବଦଳିବା ସହ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସିପାରେ । ଫଳରେ ଓଡିଶାରେ ଶୀତ ବଢିବ ବୋଲି କୁହାଯାଇଛି ।
ବାତ୍ୟା ଟଳିଯାଇଥିଲେ ମଧ୍ୟ ପ୍ରବଳ ବର୍ଷା ଓ ଅଳ୍ପ ପବନ ଯୋଗୁଁ ସାରା ରାଜ୍ୟରେ ଧାନ ସମେତ ପରିବା ଫସଲ ଉଜୁଡି ଯାଇଛି । ବାତ୍ୟା ସମୁଦ୍ରରେ ଯେତେ ଦୁର୍ବଳ ହେଉଥିଲା ରାଜ୍ୟରେ ବର୍ଷା ସେତେ ବଢି ଚାଲିଥିଲା । ଶନିବାରଠାରୁ ଦକ୍ଷିଣ, ପୂର୍ବ ଓ ଉତ୍ତର ଉପକୂଳ ଓଡିଶାରେ ବର୍ଷା ଲାଗି ରହିଥିବା ବେଳେ ବିଲରେ ଆଣ୍ଠୁଏ ଉଚ୍ଚରେ ପାଣି ଜମି ରହିଛି । ଧାନ ପାଚିବା ସମୟରେ ବର୍ଷା ଓ ପବନ ହେବାରୁ ଧାନ ଗଛଗୁଡିକ ବିଲରେ ଶୋଇପଡିଛି । ବିଲରେ ଯେତିକି ପାଣି ଜମିଛି ସପ୍ତାହକ ମଧ୍ୟରେ ଶୁଖିବା ସ୍ଥିତି ନାହିଁ । ବାଲେଶ୍ୱର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ମୟୂରଭଞ୍ଜ, ନୟାଗଡ, ଭଦ୍ରକ ଆଦି ଜିଲ୍ଲାରେ ଚାଷ ପ୍ରଭାବିତ ହୋଇଛି । କୋବି, ଟମାଟୋ, ଭେଣ୍ଡି, ବାଇଗଣ, ବିନ୍, ଗାଜର, ମୂଳା, ଧନିଆ, ଆଳୁ ଭଳି ବହୁ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି ।
Powered by Froala Editor