ବଡ଼ ଖବର, ଦୁର୍ବଳ ହୋଇଯିବ ‘ଜୱାଦ’

ଭୁବନେଶ୍ୱର: ବାତ୍ୟା ଜୱାଦ ନେଇ ଆସିଲା ବଡ଼ ଖବର । ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଜୱାଦ । ଆଗାମୀ ।୨ ଘଣ୍ଟା ଯାଏଁ ଉତ୍ତର ଦିଗକୁ ଗତି କରିବ ବାତ୍ୟା ଜୱାଦ । ଆସନ୍ତାକାଲି ପୁରୀ ଛୁଇଁବା ବେଳକୁ ଜୱାଦ ଦୁର୍ବଳ ହୋଇଯିବ । ପୁରୀ ଉପକୂଳରେ ଛୁଇଁବା ବେଳକୁ ଗଭୀର ଅବପାତରେ ପରିଣତ ହେବ । ଗଭୀର ଅବପାତ ବେଳେ ପନବର ବେଗ ସର୍ବାଧିକ ୭୫ କିମି ରହିବ । ଫଳରେ ବାତ୍ୟାର ପ୍ରଭାବ ଯେମିତି ପଡ଼ିବା କଥା ସେମିତି ନପଡ଼ିପାରେ । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ବାତ୍ୟା କ୍ରମଶଃ ଦୁର୍ବଳ ହେବ ଏବଂ ଉତ୍ତର ଦିଗକୁ ଗତି କରି ଆଗାମୀ ୧୨ ଘଣ୍ଟାରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳରେ ପୁରୀ ପହଞ୍ଚିବ । ୫ ତାରିଖ ମଧ୍ୟାହ୍ନରେ ‘ଜୱାଦ’ ପୁରୀ ପହଞ୍ଚିବା ବେଳକୁ ବାତ୍ୟାରୁ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । କ୍ରମଶଃ ଏହା ଦୁର୍ବଳ ହୋଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ ।
ଅନ୍ୟପକ୍ଷରେ ବାତ୍ୟା ଜଓ୍ବାଦ ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଛି । ଏହି ପରିପ୍ରେକ୍ଷୀରେ ବାତ୍ୟାକୁ ଦୃଷ୍ଟିରେ ରଖି ୪ଟି ବନ୍ଦର ପାଇଁ ବିପଦସଙ୍କେତ ଜାରି କରାଯାଇଛି । ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ୭ ନଂ ବିପଦସଙ୍କେତ ଜାରି କରାଯାଇଛି । ସେହିପରି ପାରାଦୀପ ଓ ଧାମରା ବନ୍ଦର ପାଇଁ ୪ ନଂ ବିପଦ ସଙ୍କେତ ଜାରି କରାଯାଇଛି । ଏବେ ସମୁଦ୍ର ଭିତରେ ବାତ୍ୟା ଜଓ୍ବାଦର ବେଗ ଘଣ୍ଟା ପ୍ରତି ୬ କିମି ରହିଛି । ଏହା ବିଶାଖାପାଟଣାଠାରୁ ୨୫୦ କିମି ଦୂରରେ ଥିବା ବେଳେ ଗୋପାଳପୁର ଠାରୁ ୩୬୦ କିମି ଦୂରରେ, ପାରାଦୀପ ଠାରୁ ୫୧୦ ଓ ପୁରୀ ଠାରୁ ୪୩୦ କିଲୋମିଟର ଦୂରରେ ରହିଛି। ଏହାର ଗତି ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଥିବା ବେଳେ ଏଥିପାଇଁ ମୋଟ ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।
ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୧୨ ଘଣ୍ଟା ମଧ୍ୟରେ ପାରାଦୀପରେ ସର୍ବାଧିକ ୬୨ ମିଲି ମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀ ରେ ୪୦ ମିଲି ମିଟର ଓ ଭୁବନେଶ୍ବର ରେ ୧୦ ମିଲି ମିଟର ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ବାତ୍ୟା ଯେତେ ପାଖକୁ ଆସିବ ସେହି ଅନୁସାରେ ବର୍ଷାର ପରିମାଣ ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି । ବିଶେଷ କରି ସନ୍ଧ୍ୟା ସୁଦ୍ଧା ପୁରୀ, ଜଗତସିଂହପୁର, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ ପବନର ବେଗ ବଢ଼ିବା ନେଇ ଅନୁମାନ କରାଯାଉଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ ରୁ ୯୫ ପର୍ୟ୍ୟନ୍ତ ରହିବା ନେଇ ସୂଚନା ମିଳିଛି ।
Powered by Froala Editor