ପୁରୀ ଜିଲ୍ଲାରେ ଉପକୂଳ ଛୁଇଁବ ବାତ୍ୟା!

ଭୁବନେଶ୍ୱର: ସମୟ ବଢୁଛି, ଭୟ ବି ବଢୁଛି । ବାତ୍ୟା ଜୱାଦ ପାଇଁ ସରକାରଙ୍କଠୁ ଚାଷୀ ସମସ୍ତେ ଚିନ୍ତାରେ । ସ୍ଥଳଭାଗ ମୁହାଁ ବାତ୍ୟା ଜୱାଦ। ଆସନ୍ତା ୧୨ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଶନିବାର ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର-ଓଡ଼ିଶା ଉପକୂଳରେ ପହଞ୍ଚିବ ବାତ୍ୟା। ଏହା ବର୍ତ୍ତମାନ ଗୋପାଳପୁର ଠାରୁ ୬୭୦ କି.ମି ଦୂରରେ ଥିବା ବେଳେ ପାରାଦୀପ ଠାରୁ ୭୬୦ କି.ମି ଦୂରରେ ରହିଛି। ତେବେ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ରାଜୀବ ଭବନରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମୀଳନିରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ।। ଆଇଏମଡି ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଶ୍ରୀ ଜେନା କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ, ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ । ଯଦି ଅଧିକ ଦିଗ ବଦଳାଏ ତେବେ ହୁଏତ ସ୍ଥଳଭାଗ ଛୁଇଁପାରେ । ସ୍ଥଳଭାଗ ନଛୁଇଁ ଓଡ଼ିଶା ଉପକୂଳ ଦେଇ ବାତ୍ୟା ଚାଲିଯାଇପାରେ । ସ୍ଥଳଭାଗ ନିକଟ ହେଲେ ସର୍ବାଧିକ ୯୦ରୁ ୧୦୦ କିମି ବେଗରେ ପବନ ବହିପାରେ । ପୁରୀ ଜିଲ୍ଲାର କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ପୁରୀରେ ବାତ୍ୟା ପ୍ରଭାବ ରହିବ। ଶୁକ୍ରବାର ମଧ୍ୟରାତିରେ ବର୍ଷାର ପରିମାଣ ବଢିବ । ଦୁଇ ଦିନ ପାଇଁ ପିଇବା ପାଣି ସଂଗ୍ରହ କରି ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ରାଜ୍ୟ ସରକାର ସବୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ୧୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ସତର୍କ ରହିବାକୁ କୁହାଯାଇଛି । ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀଙ୍କୁ ପ୍ରତିକୂଳ ସ୍ଥିତି ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ୟ୍ୟ ପାଇଁ ଓଡ୍ରାଫର ୬୦ଟି ଟିମ୍, ଏନଡିଆରଏଫର ୩୪ଟି ଟିମ୍, ଅଗ୍ନିଶମର ୧୭୨ଟି ଟିମ୍ ଗଠନ କରାଯାଇଛି । ଲୋକଙ୍କୁ ସ୍ଥାନାନ୍ତର ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଅମଳ ହେବାକୁ ଥିବା ଫସଲକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବା ସହ ଯାହା ଅମଳ ନ ହୋଇପାରିବ ସେଠାରେ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରକାଶ ଯେ, ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଏହା ଗୋପାଳପୁରଠାରୁ ୬୭୦ କିମି, ପାରଦୀପଠାରୁ ୭୬୦ କିମି ଦୂରରେ ରହିଛି । ଗତ ୬ ଘଂଟା ହେବ ଏହା ୩୨ କିଲୋମିଟର ବେଗରେ ଗତି କରୁଛି । ସ୍ଥଳଭାଗ ଛୁଇଁବା ବେଳକୁ ଘଂଟାପ୍ରତି ପବନର ବେଗ ୮୦ ରୁ ୯୦ କିଲୋମିଟର ରହିବାର ସମ୍ଭାବନା ରହିଛି । ଅତିବେଶୀରେ ପବନର ବେଗ ଶହେ କିଲୋମିଟର ପର୍ଯ୍ୟନ୍ତ ବଢିପାରେ । ଏହାର ପ୍ରଭାବରେ ପାଗ ବଦଳିବା ଆରମ୍ଭ ହୋଇଛି । ଆଜି ସନ୍ଧ୍ୟା ଠାରୁ ବର୍ଷା ହେବାର ସମ୍ଭାବନା ରହିଛି ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଜି ସକାଳ ୫.୩୦ରେ ଗଭୀର ଅବପାତର ରୂପ ନେଇଛି । ଆଗାମି ୧୨ ଘଂଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଥିବା ଆଂଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।
Powered by Froala Editor