ଆଜି ବାଲେଶ୍ୱର ଗସସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାଲେଶ୍ୱର ଗସସ୍ତରେ ଯିବେ । ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ପ୍ରକାର ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ପାଇଁ ପୁରୀ ଗସ୍ତ ସମୟରେ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ୨୫ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ସତ୍ତ୍ୱେ, ସବୁକୁ ଭେଦ କରି ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ପୁରୀଗସ୍ତକୁ ବିରୋଧ କରିବାରେ ସଫଳ ହୋଇଥିଲେ ଓ ମୁଖ୍ୟମନ୍ତ୍ରୀ ଫେରିବା ସମୟରେ, ତାଙ୍କ କାରକେଡକୁ ଅଣ୍ଡାମାଡ କରିଥିଲେ ବିରୋଧୀ । ଅଣ୍ଡାମାଡ କରିଥିବା ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପୂରା ବାଲେଶ୍ୱର ସହରକୁ ପୋଲିସ୍ ଛାଉଣୀ କରାଯାଇଛି । ସାଧା ପୋଷାକରେ ପୋଲିସ୍ ମାନେ ମଧ୍ୟ କାର୍ଯ୍ୟରତ ଅଛନ୍ତି ଓ ୨୫ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଏହା ସହିତ ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଗଣ୍ଡଗୋଳ ସୃଷ୍ଟି କରିବା ଆଶଙ୍କାରେ ପୂର୍ବରୁ ୩୨ ଜଣଙ୍କୁ ଉଠାଇ ନେଇଛି ପୋଲିସ୍ । ଉଭୟ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ପୋଲିସ୍ ଉଠାଇ ନେଇଥିବା ଜଣାଯାଇଛି ।
ଆଜି ମୁଖ୍ୟମନ୍ତ୍ରୀ ବାଲେଶ୍ୱରରେ ବିଏସକେୱାଇ କାର୍ଡ ହିତାଧିକାରୀଙ୍କୁ ବାଣ୍ଟିବେ । ଏହା ବ୍ୟତୀତ ୧୧ ଶହ କୋଟି ଟଙ୍କା ବ୍ୟୟରେ ୧୦୯ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ଆଜିର କାର୍ୟ୍ୟକ୍ରମରେ ଯୋଗ ଦେବେନି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଦିଲ୍ଲୀରେ ଅନ୍ୟ କାର୍ୟ୍ୟକ୍ରମ ଥିବାରୁ ସେ ଆଜି ଉପସ୍ଥିତ ରହିବେନି ବୋଲି ସୂଚନା ଦେଇଛନ୍ତି ।
Powered by Froala Editor