ସ୍ୱାମୀ-ସ୍ତ୍ରୀ-ପରକୀୟା ପ୍ରୀତି : ଗର୍ଭବତୀ ପତ୍ନୀକୁ ମାରିଦେଲା
ଭବାନୀପାଟଣାସ୍ଥିତ ଶ୍ରୀପୁର ଫାର୍ମହାଉସରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା ପଛରେ ନାରକୀୟ କାଣ୍ଡ ଥିବା ପୁଲିସ୍ ସ୍ପଷ୍ଟ କରିଛି । ହତ୍ୟା ଅଭିଯୁକ୍ତ ସ୍ୱାମୀ ଲଳିତ ପଟେଲ ଓ ସହଯୋଗୀ ତଥା ଶ୍ରୀପୁରା ଫାର୍ମ ହାଉସ୍ରେ କାମ କରୁଥିବା ଦୁଷ୍ମନ୍ତ ଗୌଡ଼କୁ ପୁଲିସ୍ ଗିରଫ କରିଛି ।
ପୁଲିସ୍ ସୂଚନା ଅନୁଯାୟୀ, ସରଲାଞ୍ଜି ଗାଁର ବର୍ଷା ପଟେଲ ଏବଂ ଲଳିତ ପଟେଲଙ୍କ ମଧ୍ୟରେ ପ୍ରେମସମ୍ପର୍କ ରହିଥିଲା । ସେମାନେ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । କିନ୍ତୁ ପରିବାର ଲୋକଙ୍କ ବିରୋଧ ଯୋଗୁ ଦୁହେଁ ୨୦୨୨ରେ ଘର ଛାଡ଼ି ଫେରାର ହୋଇ ଯାଇଥିଲେ । ସେମାନେ ପ୍ରେମବିବାହ କରି ଭବାନୀପାଟଣାର ଶକ୍ତିନଗରପଡ଼ାରେ ରହୁଥିଲେ । ହେଲେ ଦମ୍ପତିଙ୍କ ମଝିରେ ପଶି ଆସିଲେ ତୃତୀୟ ମଣିଷ । ପରକୀୟା ପ୍ରୀତିରେ ପଡ଼ିଗଲେ ସ୍ୱାମୀ । ଭଲ ପାଇ ଯାହାର ହାତ ଧରିଥିଲେ³ ତାଙ୍କ ପ୍ରତି ନିଷ୍ଠୁର ହୋଇଗଲେ । ଆରମ୍ଭ କଲେ ଅକଥନୀୟ ନିର୍ଯାତନା । ବର୍ଷା ଗର୍ଭବତୀ ହୋଇଥିଲେ । ମା’ ହେବାର ଖୁସିରେ ସେ ବିଭୋର ଥିଲେ । ହେଲେ ସ୍ୱାମୀ ଯେ ତାଙ୍କ ବିରୋଧରେ ଭୟଙ୍କର ଷଡ଼ଯନ୍ତ୍ର ରଚିଛନ୍ତି³ ତାହା ଥିଲା ତାଙ୍କ କଳ୍ପନା ବାହାରେ । ଶେଷରେ ଏତେ ନୃଶଂସ ହୋଇଗଲେ ଯେ, ଆଠମାସର ଗର୍ଭବତୀ ସ୍ତ୍ରୀଙ୍କୁ ମାରି ଫାର୍ମହାଉସ୍ରେ ପୋତି ଦେଲେ ।
ଗତ ଜାନୁଆରୀ ୨୬ରେ ବର୍ଷାଙ୍କୁ ହତ୍ୟା କରିଥିଲା ଲଳିତ । ବନ୍ଧୁ ଦୁଷ୍ମନ୍ତ ସହଯୋଗରେ ମୃତଦେହକୁ କୌଶଳକ୍ରମେ ଶ୍ରୀପୁରସ୍ଥିତ ଫାର୍ମ ହାଉସରେ ପୋତି ଦେଇଥିଲା । ପରିବାରଠାରୁ ଦୂରରେ ରହୁଥିବାରୁ ଘଟଣା ସହଜରେ ଚପିଯିବ ବୋଲି ଅଭିଯୁକ୍ତମାନେ ଭାବିଥିଲେ । ହେଲେ ଗତ ଫେବ୍ରୁଆରୀ ୯ରେ ସନ୍ଦେହଜନକ ଅବସ୍ଥାରେ ବର୍ଷାଙ୍କ ଗଳିତ ମୃତଦେହ ଫାର୍ମହାଉସ୍ରୁ ମିଳିଥିଲା । ବର୍ଷାଙ୍କ ବାପା ପ୍ରକାଶ ପଟେଲ ମୃତଦେହ ଚିହ୍ନଟ କରିବା ସହ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରି ଫେରାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
Powered by Froala Editor