ଅନୁଭବ ଟୁଇଟ କରି ଜଣାଇଲେ ଏହି କଥା, ଜାଣନ୍ତୁ କ’ଣ?
କଟକ: ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପୁରୀ ଘାଟ ଥାନାକୁ ଯିବା ଘଟଣାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ବର୍ଷା ଥାନାକୁ ଯାଇ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ପୂର୍ବରୁ ଦେଇଥିବା ଅଭିଯୋଗର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ଅନ୍ୟପଟେ ଗୁରୁବାର ସୁଦଶାବ୍ରତ ପରିପ୍ରେକ୍ଷୀରେ ଅନୁଭବଙ୍କ ଟୁଇଟକୁ ନେଇ ମଧ୍ୟ ସେ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି । କିନ୍ତୁ ବର୍ଷା ଥାନାରେ କୌଣସି ଲିଖିତ ଅଭିଯୋଗ କରି ନାହାନ୍ତି । ତାଙ୍କର ଯଦି କୌଣସି ପ୍ରକାର ଅଭିଯୋଗ ଥାଏ ତେବେ ସେ ପରବର୍ତ୍ତୀ ସମୟରେ ଥାନାକୁ ଆସି ଅଭିଯୋଗ ଦେବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଅନୁଭବ ତାଙ୍କ ଟୁଇଟରରେ ଲେଖିଛନ୍ତି ଯେ ଏଭଳି ଏକ ପବିତ୍ର ଦିନରେ ତାଙ୍କ ଘରର ସ୍ଥିତି ତାଙ୍କୁ ଅତ୍ୟନ୍ତ ଯନ୍ତ୍ରଣା ଦେଇଛି । ଯେଉଁ ଘରକୁ ତାଙ୍କ ପୂର୍ବପୁରୁଷ ଖୁସି ଆଉ ଆନନ୍ଦର ସହ ଗଢ଼ି ତୋଳିଥିଲେ, ସେ ଓ ତାଙ୍କ ପରିବାର ଲୋକ ବର୍ଷ ବର୍ଷ ଧରି ଯେଉଁଠି ହସଖୁସିରେ ରହି ଆସୁଥିଲେ, ସେହି ଘରେ ସେମାନେ ଆଉ ଗଲା କିଛି ମାସ ହେଲା ରହୁନାହାନ୍ତି । ସେ ଘରେ ଏବେ ଜଣଙ୍କ ଛଡ଼ା ସେମାନେ ଆଉ ରହୁନାହାନ୍ତି । ତାଙ୍କ ବିରୋଧରେ ହେଉଥିବା ମିଛ ଅଭିଯୋଗରୁ ବର୍ତ୍ତିବା ପାଇଁ ସେମାନେ ସେଠାରେ ରହୁ ନଥିବା ଅନୁଭବ ଟୁଇଟରରେ ଲେଖିଛନ୍ତି । ଏ ଘରର ପ୍ରକୃତ ମାଲିକଙ୍କୁ ମହାଲକ୍ଷ୍ମୀ ଆଶୀର୍ବାଦ କରନ୍ତୁ । ସେମାନେ ଏହି ଘରକୁ ଫେରି ଆସନ୍ତୁ ବୋଲି ଅନୁଭବ ଲେଖିଥିବା ବେଳେ ସେଥିରେ କିନ୍ତୁ ଆଉ କାହାର ନାମ ଲେଖି ନାହାନ୍ତି । ଅନୁଭବ ଆଉ ବର୍ଷାଙ୍କ ମାମଲା ଏବେ କୋର୍ଟରେ ବିଚରାଧୀନ ରହିଥିବା ବେଳେ ଏହି ଘଟଣା ପୁଣି ଥରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।
Powered by Froala Editor