ଡିଜେ ସାଉଣ୍ଡରେ ମରିଗଲେ ୬୩ କୁକୁଡା
ବାଲେଶ୍ୱର: କରୋନା ମହାମାରୀ ଯେଗୁଁ ଦୀର୍ଘଦିନ ଧରି ବନ୍ଦ ରହିଥିଲା ଡିଜେ, ବ୍ୟାଣ୍ଡ ବାଜା । ତେବେ ରାଜ୍ୟରେ ସଂକ୍ରମଣ କମୁଥିବାରୁ ସରକାର କିଛି ଦିନ ତଳେ ଏଗୁଡିକୁ ଅନୁମତି ଦେଇଥିଲେ । ତେବେ ଡିଜେ ବାଜିବାରୁ ହୃଦଘାତରେ ମରିଗଲେ ୬୦ରୁ ଅଧିକ କୁକୁଡ଼ା । ଏନେଇ କୁକୁଡ଼ା ଚାଷୀ ରଞ୍ଜିତ ପରିଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଗତକାଲି ବାଲେଶ୍ୱର ନୀଳଗିରି ଥାନା ଅନ୍ତର୍ଗତ କାଣ୍ଡଗରଡ଼ି ଗା’ଁରେ ଜଣଙ୍କର ଝିଅ ବାହାଘରକୁ ବରଯାତ୍ରୀ ବହୁତ ଜୋର ସାଉଣ୍ଡରେ ଡିଜେ ବଜାଇ ଆସିଥିଲେ । କୁକୁଡ଼ା ଫାର୍ମ ନିକଟରେ ଡିଜେ ଗାଡି ରଖି ଅନେକ ସମୟ ଧରି ଉଚ୍ଚ ଶବ୍ଦରେ ସଂଗୀତ ବଜାଇଥିଲେ । ଏନେଇ କୁକୁଡ଼ା ଚାଷୀ ରଞ୍ଜିତ ପରିଡା ବରଯାତ୍ରୀଙ୍କୁ ଡିଜେ ସାଉଣ୍ଡ କମାଇବାକୁ ନେହୁରା ହୋଇଥିଲେ ବି କେହି ତାଙ୍କ କଥାକୁ ଶୁଣିନଥିଲେ ଓ ତାଙ୍କୁ ଓଲଟା ଗାଳିଗୁଲଜ କରିଥିଲେ । ଫଳରେ ଡିଜେ ଶବ୍ଦରେ ଫାର୍ମରେ ଥିବା ୨୦୦୦ କୁକୁଡା ଭୟରେ ଶଦ୍ଧ କରି ଏକଜୁଟ ହୋଇଯାଇଥିଲେ । ପରସ୍ପର ଚଢାଚଢି ହେବାଫଳରେ ୬୩ଟି କୁକୁଡାର ମୃତୁ୍ୟ ଘଟିଥିବା ସୂଚନା ମିଳିଛି ।
ତେବେ ରଞ୍ଜିତ କ୍ଷତିପୂରଣ ପାଇଁ କନ୍ୟା ଘର ଲୋକଙ୍କ ନିକଟରେ ଦାବି କରିଥିଲେ । ହେଲେ ତାଙ୍କ କଥା କେହି ନ ଶୁଣି ବାରୁ ରଞ୍ଜିତ ଥାନାରେ ଅଭିଯୋଗ କରିଥିଲେ । ହୃଦଘାତରୁ କୁକୁଡ଼ାଙ୍କ ମୃତୁ୍ୟ ହୋଇଥିବା ସେ ଅଭିଯୋଗ କରିଛନ୍ତି । ନୀଳଗିରି ଥାନା ପୁଲିସ ମାମଲାର ତଦନ୍ତ କରୁଛି । ପଶୁପତି କମ୍ପାନୀର କର୍ମଚାରୀମାନେ ଆସି ଏହି କୁକୁଡା ଗୁଡିକର ପୋଷ୍ଟମର୍ଟମ କରିଛନ୍ତି । ବଜାର ଦର ଅନୁସାରେ କ୍ଷତିପୂରଣ ଦିଆଯାଉ ବୋଲି ରଞ୍ଜିତ ଦାବି କରିଛନ୍ତି ।
Powered by Froala Editor