ଆଜି ନବୀନ ନିବାସ ଘେରିବ ବିଜେପି

ଭୁବନେଶ୍ୱର: ପାଖେଇ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ଏଥିପାଇଁ ରାଜଧାନୀ ରାଜନୀତି ଉଷ୍ମ ହେବାରେ ଲାଗିଛି । ଗୋଟିଏ ପଟେ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ, ଭୁବନେଶ୍ୱର ପକ୍ଷରୁ ସୋମବାର ସହରର ତିନୋଟି ସ୍ଥାନରେ ଗଣଧାରଣା ଓ ପ୍ରତିବାଦ ସଭା ଆୟୋଜନ ଲାଗି ପ୍ରସ୍ତୁତି ଚାଲିଥିବାବେଳେ ଏହାର ଜବାବ ଦେବାକୁ ଯାଇ ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଭୁବନେଶ୍ୱର ବିଜେପି ମଧ୍ୟ ଆଜି ନବୀନ ନିବାସ ଘେରାଉ ଡାକରା ଦେଇଛି ।
ଏଥିପାଇଁ ପୁଲିସ ପାଇଁ ବଡ ଆହ୍ୱାନ ସୃଷ୍ଟି ହୋଇଛି । ଗୋଟିଏ ଦିନ ଓ ଗୋଟିଏ ସମୟରେ ସହରର ୪ଟି ସ୍ଥାନରେ ଆନେ୍ଦାଳନ ହେବାକୁ ଥିବାରୁ ସହରର ବିଭିନ୍ନ ସ୍ଥାନରେ ୧୫ ପ୍ଲାଟୁନ୍ରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି । ନବୀନ ନିବାସର ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି । ବିଜେପି ସକାଳ ୧୧ଟାରେ ନବୀନ ନିବାସ ଘେରାଉ କରିବ ବୋଲି ଯୋଜନା ରହିଛି ।
ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ପୂର୍ବାହ୍ନ ୧୦ଟାରେ ରାଜମହଲ ଛକ ନିକଟରୁ ଶୋଭାଯାତ୍ରା ଆରମ୍ଭ ହୋଇ ଶିଶୁ ଭବନ ଛକ ଦେଇ ନବୀନ ନିବାସ ଆଡକୁ ଅଗ୍ରସର ହେବାର ଯୋଜନା ରହିଛି । ଯେଉଁଥିରେ ଦଳର ବରିଷ୍ଠ ନେତାମାନେ ବି ସାମିଲ ହୋଈ ବିକ୍ଷୋଭ ପ୍ରଦର୍ଶନ କରିବେ । ତେବେ ତାହାକୁ ନଜରରେ ରଖି ଶିଶୁ ଭବନ ଛକରେ ବାରିକେଡ୍ କରିବାକୁ ପୁଲିସ ଯୋଜନା କରିଛି । ଆନେ୍ଦାଳନକାରୀ ଯେପରି ଶିଶୁ ଭବନ ଛକ ନ ଡିଅନ୍ତି ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।
Powered by Froala Editor